ଭୋଗରାଇ ୧୧/୨: ୨ ଦିନ ଧରି ଆତଙ୍କ ଖେଳାଉଥିଲା । ଭୟରେ ଥରହର ହେଉଥିଲେ ଲୋକେ । ଘରୁ ବାହାରୁନଥିଲେ । କେମିତି ତାକୁ କାବୁ କରିବେ ବାଟ ଖୋଜୁଥିଲେ । ଶେଷରେ ଛେଳି ଖାଇବା ଲୋଭରେ ଆସି ଯନ୍ତାରେ ପଶିଛି ମହାବଳ । ରବିବାର ରାତିରୁ ଦକ୍ଷିଣ ୨୪ ପ୍ରଗଣାର କୁଲଟାଲି ବ୍ଲକର ମୈପିଠା ବୈକୁଣ୍ଠପୁର ଗ୍ରାମପଞ୍ଚାୟତରେ ଆତଙ୍କ ଖେଳାଉଥିବା ମହାବଳକୁ କାବୁ କରିଛି ବନବିଭାଗ । ବିଳମ୍ବିତ ରାତିରେ ବନବିଭାଗ ବିଛାଇଥିବା ଯନ୍ତାରେ ପଡିଥିଲା ବାଘ ।
ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା । ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବାକୁ ପ୍ଲାନ କରିଥିଲା ବନବିଭାଗ । ଏହା ପରେ ବନ ବିଭାଗ ଟିମ୍ ଗାଁ ଚାରିପାଖରେ ଛକି ରହିଥିଲେ । ଯାହା ଅନୁମାନ କରାଯାଉଥିଲା ସତ ହେଲା । ଶେଷରେ ଛେଳି ଖାଇବାକୁ ଆସି ଯନ୍ତାରେ ପଡିଲା ମହାବଳ । ଏହା ପରେ ବାଘଟିର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇଛି । ମଙ୍ଗଳବାର ବାଘକୁ ପାଖ ଜଙ୍ଗଲରେ ଛାଡିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛି ବନବିଭାଗ । ବାଘ ଧରାପଡିବା ପରେ ଆଶ୍ବସ୍ତ ହୋଇଛନ୍ତି ଗାଁ ଲୋକ । ଧିରେ ଧିରେ ସ୍ବାଭାବିକ ହୋଇଛି ଜୀବନ ଯାତ୍ରା । ଲୋକେ ଘରୁ ବାହାରିବାକୁ ଲାଗିଛନ୍ତି ଆଉ ଯିଏ ଯାହାର କାମରେ ଯାଉଥିବା ଦେଖିବାକୁ ମିଳିଛି ।
ଗତ ରବିବାର ବାଘଟି କୁଲଟାଲି ଗାଁ ପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପରେ ବନବିଭାଗକୁ ଖବର ଦିଆଯାଇଥିଲା । ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ । ବନ ବିଭାଗ ଟିମ୍ ଗାଁରେ ପହଞ୍ଚି ବାଘକୁ ଧରିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ । ଅନେକ ଲୁଚକାଳି ଖେଳ ପରେ ଶେଷରେ ଧରାପଡିଛି ମହାବଳ