ଦାଦାକୁ ହତ୍ୟା ଉଦ୍ୟମ କରିଥିବା ପୁତୁରା ଗିରଫ,ଲୁଟ୍ ସାମଗ୍ରୀ ଜବତ

Published By : Prameya-News7 Bureau | December 09, 2024 IST

ବ୍ରହ୍ମପୁର ୯/୧୨: ଅସୁସ୍ଥ ହୋଇ ଦାଦା ଘରେ ଆଶ୍ରୟ ନେଇଥିଲା । ଆଉ ସୁଯୋଗ ଦେଖି ଦାଦାକୁ ଆକ୍ରମଣ କରି ସୁନା ଗହଣା ଲୁଟି ଫେରାର ହୋଇଯାଇଥିଲା । ପ୍ରାୟ ୧୫ ଦିନ ପରେ ଅଭିଯୁକ୍ତ ପୁତୁରାକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ । ନଭେମ୍ବର  ୨୪ ତାରିଖ ସଂଧ୍ୟାର ଘଟଣା । ପ୍ରାୟ ରାତି ୮ଟା ସମୟରେ ପୁତୁରା ଚନ୍ଦନ ବିଶ୍ବାଳ ଦାଦା ଭଞ୍ଜ କିଶୋର ନନ୍ଦଙ୍କୁ ଆକ୍ରମଣ କରିଥିଲା । ମୁଣ୍ଡରେ ଜୋରରେ ଆଘାତ କରିବାରୁ କୋମାକୁ ଚାଲିଯାଇଥିଲେ ଭଞ୍ଜ କିଶୋର । ଏବେ କଟକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । 

ପତ୍ନୀ ସଂଯୁକ୍ତା ପ୍ରଧାନ ଶିକ୍ଷୟିତ୍ରୀ ହୋଇଥିବାରୁ ମାଲକାନଗିରି ଏମଭି-୧୬ରେ ରହୁଥିବାରୁ ବ୍ରହ୍ମପୁର ସ୍ଥିତ ଘରେ ଭଞ୍ଜ ଏକୁଟିଆ ରହୁଥିଲେ । ପୁତୁରା ଚନ୍ଦନ ଅସୁସ୍ଥ ହୋଇ ଏମ୍‌କେସିଜିରେ ଚିକିତ୍ସା ପରେ ଦାଦାଙ୍କ ଘରେ କିଛି ଦିନ ହେବ ରହୁଥିଲା । ପରେ ଦାଦାଙ୍କୁ ଆକ୍ରମଣ କରିବା ସହ ତାଙ୍କର ଲାପଟପ୍‌, ମୋବାଇଲ ଫୋନ, ନଗଦ ୫୦ ହଜାର ଟଙ୍କା, ସୁନା ମୁଦି ଲୁଟିନେଇଥିବା ନେଇ ସଂଯୁକ୍ତା ୭ ତାରିଖରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ ପରେ ପୋଲିସ ଚନ୍ଦନକୁ ଗିରଫ କରିଥିଲା । ତା ନିକଟରୁ ୩ଟି ବଇକ, ଗୋଟିଏ ଲାପଟପ୍‌ ଓ ମୋବାଇଲ ଫୋନ ଜବତ ହୋଇଛି । ଚନ୍ଦନ ନାଁରେ ବୈଦ୍ୟନାଥପୁର ଥାନାରେ ୫ଟି ଅପରାଧିକ ମାମଲା ଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.