ସୌରଭଙ୍କ ନିଖୋଜ ଘଟଣାରେ ଟ୍ବିଷ୍ଟ, ବିଶାଖାପାଟଣା ଇଚ୍ଛାପୁର ଷ୍ଟେସନ ସିସିଟିଭିରେ କଏଦ, ଟ୍ରାକ କରୁଛି ପୋଲିସ

Published By : Prameya-News7 Bureau | January 23, 2025 IST

ବ୍ରହ୍ମପୁର ୨୩/୧: ବ୍ରହ୍ମପୁରର ନୌସେନା ଅଧିକାରୀ ସୌରଭ ପାତ୍ରଙ୍କ ନିଖୋଜ ମାମଲାରେ ଟ୍ବିଷ୍ଟ । ବିଶାଖାପାଟମା ଇଚ୍ଛାପୁର ଷ୍ଟେସନରେ ସିସିଟିଭିରେ କଏଦ ହୋଇଛନ୍ତି ସୌରଭ । ସିସିଟିଭି କ୍ୟାମେରାରେ ସୌରଭ ଇଚ୍ଛାପୁର ପ୍ଲାଟଫର୍ମ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରୁ କିଛି ଡକ୍ୟୁମେଣ୍ଟ ଉଦ୍ଧାର କରିଛି ପୋଲିସ । ଟ୍ରେନରେ ବିଶାଖାପାଟଣା ଯାଉଥିବାବେଳେ ଇଚ୍ଛାପୁର ଷ୍ଟେସନରୁ ସୌରଭ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଇଚ୍ଛାପୁର ଷ୍ଟେସନରେ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ସୌରଭଙ୍କୁ ଟ୍ରାକ କରୁଛି ପୋଲିସ । ହେଲେ ଏବେ ସୁଦ୍ଧା ସୌରଭଙ୍କ କୌଣସି ସନ୍ଧାନ ମିଳିନି । 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗେଟ୍ ବଜାରର ବୃନ୍ଦାବତୀ ନଗରରେ ସୌରଭଙ୍କ ଘର । ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳର କୋଚି INS ଗରୁଡରେ ସେ ଚାକିରି କରୁଥିଲେ । ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ରେ ସୌରଭ କୋଚି ଫେରିବାର ଥିଲା । 

ଜାନୁଆରୀ ୧୯ରେ ଭୋର ୩ଟାରେ ବ୍ରହ୍ମପୁର ରେଳ ଷ୍ଟେସନରେ ସୌରଭଙ୍କୁ ଟ୍ରେନରେ ବସାଇଥିଲେ ପରିବାର ଲୋକ । ଅପରାହ୍ମରେ ତାଙ୍କର ଫ୍ଲାଇଟ ଥିଲା । ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ ଟିକେଟ ହୋଇଥିଲା । ତେବେ ବ୍ରହ୍ମପୁର ଛାଡିବା ପରେ ତାଙ୍କ ଫୋନ ସ୍ବିଚ ଅପ ଆସିଥିଲା । ପରିବାର ଲୋକେ ତାଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ।ହେଲେ ସୌରଭଙ୍କ ଫୋନ ଅନ୍‌ ହୋଇନଥିଲା । 

ଚାରିଆଡେ ଖୋଜାଖୋଜି ପରେ ବିଶାଖାପାଟଣା ଏୟାରପୋର୍ଟରେ ଅନୁସନ୍ଧାନ କରିଥିଲେ ପରିବାର ଲୋକ । ହେଲେ ସେଠାରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୌରଭ ସେଠାରେ ଚେକ୍‌ ଇନ୍‌ କରିନଥିଲେ । ପରେ କୋଚି INS ଗରୁଡ ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକେ । ସୌରଭ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡିଥିଲା । ପରେ ସୌରଭଙ୍କ ସାଙ୍ଗସାଥୀ ସହ କଥା ହୋଇଥିଲେ । ହେଲେ କେହି କିଛି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ସବୁଆଡୁ ନିରାଶ ହେବା ପରେ ସୌରଭଙ୍କ ମାଆ ଟାଉନ ଥାନାରେ ପୁଅର ନିଖୋଜ ସଂପର୍କରେ ଜଣାଇଥିଲେ । ପୁଅର କୌଣସି ସନ୍ଧାନ ମିଳୁନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକ । ପୁଅକୁ ଖୋଜି ଆଣିବାକୁ ପୋଲିସ ଓ ନୌସେନାକୁ ନିବେଦନ କରିଛନ୍ତି ପରିବାର ଲୋକ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.