ଭଦ୍ରକ ୬।୧୦: ଅଦିନିଆ ବନ୍ୟାରେ ହନ୍ତସନ୍ତ ଅଞ୍ଚଳବାସୀ । ବର୍ଷା ଦିନ ଆରମ୍ଭରୁ ଶୀତ ଦିନ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରେ ନାହିଁ । ରୋଗରେ ଘାଣ୍ଟି ହେଉଛନ୍ତି । ଭଦ୍ରକ ସହରର ମଣିନଗରରେ ଏବେ ଅଦିନିଆ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ପର ଠାରୁ ଜମି ରହିଛି ବର୍ଷା ପାଣି । ବର୍ଷା ପାଣି ସହ ନାଳ ନର୍ଦ୍ଦମା ପାଣି ପରିସ୍ଥିତିକୁ ସଙ୍ଗୀନ କରିଛି ।
ଭଦ୍ରକ ପୌରପାଳିକା ଅଧିନରେ ଯାଉଥିବା ଏହି ଅଞ୍ଚଳରେ ବର୍ଷା ଦିନ ଆରମ୍ଭରୁ ବର୍ଷା ପାଣି ଜମି ରହି ଅଦିନିଆ ବନ୍ୟାର ଭ୍ରମ ସୃଷ୍ଟି କରେ । ପାଣି ଜମି ରହିବା ଯୋଗୁଁ ନାଳ ନର୍ଦ୍ଦମା ପାଣି ମଧ୍ୟ ଏହି ଅଞ୍ଚଳରେ ପ୍ରଦୂଷଣ ସୃଷ୍ଟି କରେ । ବୟସ୍କ ଲୋକେ ପାଣିରେ ପସି ଯିବାଆସିବା କରିବା ଯୋଗୁଁ ଚର୍ମ ରୋଗରେ ଆକ୍ରାନ୍ତ ହୁଅନ୍ତି । ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୁଅନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଜଳ ନିଷ୍କାସନ ଠିକ୍ ଭାବେ ହେଉଥିଲା । କିନ୍ତୁ ଏବେ ବିନା ଟାଉନ୍ ପ୍ଲାନିଂରେ ଘର କରିବା ସହ ନାଳ ଅବରୋଧ ଓ ଜବରଦଖଲ ପାଇଁ ପ୍ରାୟ ୬୦ରୁ ଅଧିକ ପରିବାର ହନ୍ତସନ୍ତ ହେଉଛନ୍ତି । ବହୁଥର ପୌରପାଳିକା ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି, କିନ୍ତୁ ଫଳ ଶୂନ ।
You Can Read: