ଦ୍ରୁତ ବାହନ ଚାଳନା ଧୋନୀଙ୍କୁ ପଡିଲା ମହଙ୍ଗା, କଟିଗଲା ଚାଲାଣ

NEWS7
bharatanatyam-veteran-yamini-krishnamurthy-dies-at-84

ରାଞ୍ଚୀ ୫।୩: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀ ଏବେ ପୁଣି ଥରେ ଚର୍ଚ୍ଚାରେ। ହେଲେ ଏଥର ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ଟ୍ରାଫିକ ନିୟମ ସମ୍ପର୍କିତ। ଗାଡ଼ି ସଉକ ରଖୁଥିବା ଧୋନୀଙ୍କ କାରକୁ ଦ୍ରୁତଗତି ଯୋଗୁ ଚାଲାଣ ହୋଇଛି। ମିଳୁଥିବା ସୂଚନା ଅନୁସାରେ ତାଙ୍କ କାର ନିର୍ଦ୍ଧାରିତ ବେଗଠାରୁ ଅଧିବେଗରେ ଚାଲୁଥିବାର ଦେଖାଯାଇଥିଲା। ଯେଉଁ ରାସ୍ତାରେ ସର୍ବାଧିକ ବେଗ ୬୦ କିଲୋମିଟର ଥିଲା ସେଠାରେ ଧୋନୀଙ୍କ କାର ଘଣ୍ଟାପ୍ରତି ୯୧ କିଲୋମିଟର ବେଗରେ ଗତି କରୁଥିଲା। ଏହା ପରେ ପରିବହନ ବିଭାଗ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିଛି।

ସ୍ପିଡ ମନିଟରିଂ ସିଷ୍ଟମରେ ବେଗ ରେକର୍ଡ ହେବା ପରେ ସମ୍ପର୍କିତ ଅଧିକାରୀ ୧୦୦୦ ଟଙ୍କାର ଚାଲାଣ ଜାରି କରିଛନ୍ତି। ଟ୍ରାଫିକ ନିୟମ ଅନୁସାରେ ନିର୍ଦ୍ଧାରିତ ସୀମାରୁ ଅଧିକ ବେଗରେ ଗାଡି ଚଳାଇବା ଦଣ୍ଡନୀୟ ଅପରାଧ ଓ ଏହି ମାମଲାରେ ମଧ୍ୟ ସେହି ପ୍ରକ୍ରିୟା କରାଯାଇଛି। ଏହି ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। କେତେକ ଏହାକୁ ସଡ଼କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କହୁଥିବା ବେଳେ ଆଉ କେତେକ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ଉଲ୍ଲେଖ କରୁଛନ୍ତି। ତେବେ ଧୋନୀଙ୍କ ଫ୍ୟାନସ୍ ଏହାକୁ ସାଧାରଣ ଟ୍ରାଫିକ ନିୟମ ଉଲ୍ଲଂଘନ ବୋଲି କହୁଥିବା ବେଳେ ଅଧିକ ଚର୍ଚ୍ଚା କରି କଥାକୁ ମୋଟ ନ କରିବାକୁ ଅନୁରୋଧ କରିଛନ୍ତି।

ଏ ସବୁ ପରେ ଧୋନୀଙ୍କ ଫୋକସ ଏବେ କ୍ରିକେଟ ଉପରେ ରହିଛି। ଆଇପିଏଲ ୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଏଥିରେ ଧୋନୀ ଚେନ୍ନାଇ ସୁପରକିଙ୍ଗସ ସହିତ ତାଙ୍କ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି। ଗତ ସିଜନରେ ଟିମ୍ ର ପ୍ରଦର୍ଶନ ଏତେ ଉଲ୍ଲେଖନୀୟ ନଥିଲା। ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ୧୪ରୁ ୧୦ଟି ମ୍ୟାଚ୍ ହାରି ଅଙ୍କ ତାଲିକାର ସବୁଠୁ ତଳେ ଥିଲା। ତେବେ ଧୋନୀଙ୍କ ଫ୍ୟାନସ ଏଥର ଚେନ୍ନାଇ ସୁପରକିଙ୍ଗସ୍ ଧୋନୀଙ୍କ ମାର୍ଗଦର୍ଶନରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶାୟୀ ଅଛନ୍ତି।