ପୁରୀ ୩୧।୫: ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଯାଏଁ ଚାଲିବ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ରୂପେ ପାଳିତ ହୋଇଥାଏ। ତେବେ ଆଜିଠାରୁ ଶ୍ରୀଜିଉମାନଙ୍କର ଭିତର ଚନ୍ଦନ ଆରମ୍ଭ ହୋଇଛି। ଏହି ୨୧ ଦିନ ମହାପ୍ରଭୁଙ୍କର ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯାଇଥାଏ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ତପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।
ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ତିନିରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୩୦ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୧ ଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ଭୋଇ ସେବକ ମାନେ ମେସିନ ସାହାଯ୍ୟରେ ଏହି ଅଖ କାଠକୁ ଟେକି ନେଇ ଯଥା ସ୍ଥାନରେ ରଖିଛନ୍ତି। ଏପଟେ ଭୂଇଁ, ମୁହାଁଟି ଓ ନିରାଡି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେହିପରି ସାଲଗୁଜ, ତୀଖଗୁଜ ଓ ଜଳଯନ୍ତ୍ର ଚଉପଟ କାର୍ଯ୍ୟ ଚାଲିଥିବା ବେଳେ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତିନି ରଥର ରୂପକାର ସେବକ ମାନେ ୧୧ ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ କରୁଛନ୍ତି। ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପନ୍ଦାରି, ବଳା, ଅର କଣ୍ଟା ନିର୍ମାଣ କରିଥିବା ବେଳେ ଯୋକା କଣ୍ଟା ନିର୍ମାଣ କରୁଛନ୍ତି।
ଆସନ୍ତା ଶୀତଳଷଷ୍ଠୀ ସୁଦ୍ଧା ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ସଂଯୋଗ କରାଯାଇ ଡ଼େରାଯିବାର ବିଧି ରହିଛି । ତେଣୁ ରଥଖଳାରେ ନିର୍ମାଣକାରୀ ମାନେ ରଥ ନିର୍ମାଣ କାର୍ଯ୍ୟକୁ ବେଶ୍ ନିଷ୍ଠାର ସହ ତ୍ବରାନ୍ବିତ କରୁଛନ୍ତି।
You Can Read :
ମୋହନାରେ କାଳବୈଶାଖୀ ତାଣ୍ଡବ, ଗଛ ପଡି ରାସ୍ତା ଅବରୋଧ