ଭୁବନେଶ୍ବର ୧୮।୪: ପ୍ରଚଣ୍ଡ ତାତି । ଜଳିଲା ସାରା ଓଡିଶା । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡ଼ାରେ ୪୨.୬, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝରରେ ୪୦.୯ ଏବଂ ରାଉରକେଲାରେ ୪୦.୨ ଡିଗ୍ରୀ, ପାରାଦୀପରେ ୩୬.୩, ପୁରୀରେ ୩୫, ଗୋପାଳପୁରରେ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗକୁ ଏଭଳି ଅଗ୍ନିବର୍ଷା ଆହୁରି ସାଙ୍ଘାତିକ ହେବ । ସହିବାର ସବୁ ସୀମା ଡେଇଁଯିବ । ଗୁରୁବାର ତାତି ୪୫ ଡିଗ୍ରୀ ଛୁଇଁବ । ଲୋକେ ତ୍ରାହି ତ୍ରାହି ଡାକିବେ । ଆସନ୍ତା ଦୁଇ ଦିନ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ତତଲା ହାୱା ନୁହେଁ, ନିଆଁ ହୁଳା ମାଡ଼ ଭଳି ଅନୁଭବ ହେବ । ଜୀବନ ନେଇଯିବ ଏହି ଭୟଙ୍କର ତାତି । ପାଣିପାଗ ବିଭାଗର ତାଜା ସତର୍କବାଣୀ ଏଭଳି ବିପଦ ଆଡ଼କୁ ଇଙ୍ଗିତ କରିଛି। ସପ୍ତାହ ଆଗରୁ ଗ୍ରୀଷ୍ମପ୍ରବାହ କମିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ କହିଛନ୍ତି । ରାୟଗଡ଼ାରେ ଜଣେ ମହିଳା ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହୁରି ଅନେକ ସ୍ଥାନରୁ ଏଭଳି ଖବର ଆସିଛି ।
ଆଗାମୀ ଦୁଇ ଦିନ ହେବାକୁ ଥିବା ଅତିଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ତିନି ଦିନ ସବୁ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲକୁ ୨୦ ତାରିଖ ପାଇଁ ଛୁଟି ଦିଆଯାଇଛି । ୨୧ ତାରିଖ ରବିବାର ଥିବାରୁ ୨୨ରେ ସ୍କୁଲ ଖୋଲିବ ।
ଗୁରୁବାର ଆକାଶରୁ ନିଆଁବର୍ଷା ହେବ । ବାରିପଦାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ମାଲକାନଗିରି, ବଲାଙ୍ଗୀର, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ନୂଆପଡ଼ାରେ ତାତି ୪୩ ବା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୟଙ୍କର ତାତି ପାଇଁ ଗୁରୁବାର ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟ୍ୱେଭ) ଗ୍ରୀଷ୍ମପ୍ରବାହ ବହିପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ବହିବ ।
You Can Read :
ଦିନ ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲାଣି ପାରଦ, ଭୁବନେଶ୍ବର ଓ ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ