LIVE TV

ଛତିଶଗଡ଼ ସୁକମାରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ, ୧୫ ଜଣଙ୍କ ମୁଣ୍ଡରେ ଥିଲା ୪୮ଲକ୍ଷର ଇନାମ

NEWS7
big-action-by-ed-in-mahadev-betting-app-case

ସୁକମା ୨୪।୧୧: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସରେ ସୋମବାର ୨୦ ଜଣ ମାଓବାଦୀ ବିନା ଅସ୍ତ୍ରଶସ୍ତ୍ରରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୫ ଜଣଙ୍କ ମୁଣ୍ଡ ଉପରେ ୪୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୧୫ଜଣ ପୁରୁଷ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪ ପୁରୁଷ ମାଓବାଦୀଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିବା ବେଳେ ୨ ମାଓବାଦୀଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି।

ସେହିପରି ଜଣେ ମାଓବାଦୀଙ୍କ ଉପରେ ୩ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ଜଣେ ମାଓବାଦୀଙ୍କ ଉପରେ ୨ଲକ୍ଷ ଓ ଆଉ ଜଣଙ୍କ ଉପରେ ୧ ଲକ୍ଷ ଏହି ପରି ମୋଟ ୪୮ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ଛତିଶଗଡ଼ ସରକାରଙ୍କର ‘ଛତିଶଗଡ଼ ନକ୍ସଲବାଦୀ ଆତ୍ମସମର୍ପଣ ପୁନର୍ବାସ ନୀତି’ ଓ ‘ନିୟଦ ନେଲ୍ଲାନାର’ ଯୋଜନାରେ ଅନୁପ୍ରାଣିତ ହୋଇ ସମାଜର ମୁଖ୍ୟ ଧାରାରେ ସାମିଲ ହେବା ଉଦ୍ଦେଶ୍ୟରେ ସେମାନେ ଆତ୍ମସମର୍ଣ କରୁଥିବା କହିଛନ୍ତି। ତେବେ ଛତିଶଗଡ଼ ବନାଞ୍ଚଳର ଅତି ସମ୍ବେଦନଶୀଳ ଅଞ୍ଚଳରେ ଲଗାତାର କ୍ୟାମ୍ପ ସ୍ଥାପିତ ହେବା ଓ ପୋଲିସର ବଢୁଥିବା ପ୍ରଭାବ କାରଣରୁ ସେମାନେ ମାଓବାଦ ସଙ୍ଗଠନ ଛାଡି ପୋଲିସରେ ଆତ୍ମ ସମର୍ପଣ କରିଛନ୍ତି ବୋଲି କୁହାଯାଇଛି।

ଏମାନେ ସୋମବାର ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏସପି କିରଣ ଚୌହାନ, ସିଆରପିଏଫ ଦ୍ୱିତୀୟବାହିନୀ କମାଣ୍ଡାଣ୍ଟ କମଲେଶ କୁମାର, ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁରେଶ ସିଂହ ପାୟଲ, ଏଏସପି ଅଭିଷେକ ବର୍ମା, ଏଏସପି ନକ୍ସଲ ଆପସ୍ ମନିଷ ରାତ୍ରେ, ଏଏସପି ସୁଶ୍ରୀ ମୋନିକା ଶ୍ୟାମ ଓ ସିଆରପିଏଫ ନିରୀକ୍ଷକ ସୁଜିତ କୁମାରଙ୍କ ସମ୍ମୁଖରେ ଖାଲି ହାତରେ ଆତ୍ମସମର୍ପଣ କରିଦେଇଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଛତିଶଗଡ଼ ଶାସନ ପକ୍ଷରୁ ‘ଛତିଶଗଡ଼ ନକ୍ସବାଦୀ ଆତ୍ମସମର୍ପଣ ପୁନର୍ବାସ ନୀତି ୨୦୨୫’ ଅନୁସାରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଓ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ।

ଏସପି କିରଣ ଚୌହାନ କହିଛନ୍ତି ଯେ ପିଏଲଜିଏ ବଟାଲିୟନ ନମ୍ବର-୧ରେ ସକ୍ରିୟ ୪ ହାର୍ଡକୋର ମାଓବାଦୀଙ୍କ ସମେତ ଅନ୍ୟ କ୍ଷେତ୍ରରେ ସକ୍ରିୟ ୧୫ ମାଓବାଦୀ ବିନା କୌଣସି ଅସ୍ତ୍ରଶସ୍ତ୍ରରେ ଖାଲି ହାତରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୪ ଜଣ ପିପିସିଏମ ଥିବା ବେଳେ ୨ ଜଣ ଏସିଏମ, ୩ ଜଣ ପାର୍ଟି ସଦସ୍ୟ ଓ ଅନ୍ୟ ସଙ୍ଗଠନରେ ସକ୍ରିୟ ୮ ସଦସ୍ୟ ଅଛନ୍ତି।