ନିର୍ବାଚନ ପୂର୍ବରୁ ହରିୟାଣା ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବ ମନ୍ତ୍ରୀଙ୍କ ସମେତ ୮ ନେତା ଦଳରୁ ନିଷ୍କାସିତ

Published By : Prameya-News7 Bureau | September 29, 2024 IST

ଚଣ୍ଡିଗଡ଼ ୨୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ଠିକ୍ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଦଳର ୮ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ବିଜେପି ପୂର୍ବତନ ମନ୍ତ୍ରୀ ରଣଜିତ ଚୌଟାଲାଙ୍କ ସମେତ ୮ ନେତାଙ୍କୁ ୬ ବର୍ଷ ନିମନ୍ତେ ପାର୍ଟିରୁ ନିଷ୍କାସିତ କରିଛି। ଏହି ନେତାମାନଙ୍କ ନିଷ୍କାସନ ପଛର କାରଣ ମଧ୍ୟ ପାର୍ଟି ଜଣାଇଛି। ଏହି ନେତାମାନେ ଦଳର ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ଯୋଗୁ କାର୍ଯ୍ୟାନୁଷ୍ଠାନ କରାଯାଇଥିବା କୁହାଯାଇଛି। 

ହରିୟାଣା ବିଜେପି କହିଛି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଥିବା ୮ ନେତାଙ୍କୁ ନିଷ୍କାସନ କରାଯାଇଛି। ଏହି ତାଲିକାରେ ପୂର୍ବତନ ମନ୍ତ୍ରୀ ରଣଜିତ ଚୌଟାଲା ଓ ପୂର୍ବତନ ବିଧାୟକ ଦେବେନ୍ଦ୍ର କାଦୟାନଙ୍କ ନାମ ମଧ୍ୟ ରହିଛି। ଏ ସମ୍ପର୍କରେ ହରିୟାଣା ବିଜେପି କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ଗୁଲସନ ଭାଟିଆ ପତ୍ର ଜାରି କରିଛନ୍ତି। ବିଜେପି ଦ୍ୱାରା ଜାରି ପତ୍ରରେ ହରିୟାଣା ପ୍ରଦେଶ ଅଧ୍ୟକ୍ଷ ପଣ୍ଡିତ ମୋହନଲାଲ ବଡୌଲୀଙ୍କ ଦ୍ୱାରା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ପ୍ରଭାବରେ ପାର୍ଟିରୁ ନିଷ୍କାସନ କରାଯାଉଛି ବୋଲି କୁହାଯାଇଛି। 

ପାର୍ଟି ସନ୍ଦୀପ ଗର୍ଗ, ଜଲେରାମ ଶର୍ମା, ଦେବେନ୍ଦ୍ର କାଦୟାନ, ବଚ୍ଚନ ସିଂହ ଆର୍ଯ୍ୟ, ରଣଜିତ ଚୌଟାଲା, ରାଧା ଅହଲାବତ, ନବୀନ ଗୋୟଲ ଓ କେହେର ସିଂହ ରାୱତଙ୍କୁ ପାର୍ଟିରୁ ୬ ବର୍ଷ ନିମନ୍ତେ ନିଷ୍କାସିତ କରିଛି । ଏମାନଙ୍କ ମଧ୍ୟରେ ରଣଜିତ ଚୌଟାଲା ଗତ ସରକାରରେ ମନ୍ତ୍ରୀ ଥିବା ବେଳେ ଦେବେନ୍ଦ୍ର କାଦୟାନ ବିଧାୟକ ଥିଲେ। 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.