ନୀଳଗିରି ୧୧/୨: ଗାଁ ଭିତରେ କୋକୁଆ ଭୟ । ଆତଙ୍କର ବାତାବରଣ । କିଛି ଗାଈ ଗୋରୁ ଏଣେ ତେଣେ ଦୌଡୁଥାନ୍ତି । ଗାଁ ଲୋକ ବି ତାଟି କବାଟ ଦେଇ ଘରେ ପଶିଲେଣି । ବୁଝୁବୁଝୁ ଜଣାପଡିଲା କି ଗାଁ ଭିତରକୁ ପଶିଆସିଛି ବିରାଟ ଅଜଗର । ନୀଳଗିରି ସହର ଉପକଣ୍ଠ ସାନହୋତା ଗାଁରେ ମଙ୍ଗଳବାର ଦିନ ୧୧ଟା ସମୟରେ ସୁରେନ୍ଦ୍ର ନାୟକଙ୍କ ବାଡି ଭିତରକୁ ପଶିଆଶିଥିଲା ବିରାଟ ଅଜଗର ।
ଏତେ ବଡ ଅଜଗରକୁ ଦେଖି ଭୟଭୀତ ହୋଇଯାଇଥିଲେ ଗାଁ ଲୋକ । ଗାଈ ଗୋରୁ ମଧ୍ୟ ଭୟରେ ଦୌଡୁଥିଲେ । ସାପକୁ କେମିତି କାବୁ କରିବେ କାହା ମୁଣ୍ଡରେ କିଛି ପଶୁନଥିଲା । ଏତିକିବେଳେ ସ୍ଥାନୀୟ ଯୁବକ ଖଗେଶ୍ବର ବେହେରା ଅତି ସତର୍କତାକର ସହ ସାପଟିକୁ ଧରିଥିଲେ । ଏହା ପରେ ବନବିଭାଗକୁ ଖବର ଦିଆଯାଇଥିଲା ।
ବନ ବିଭାଗ ସାପକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡି ଦେଇଛି । ଦିନକୁ ଦିନକୁ ଜଙ୍ଗଲ ଛାଡି ଜନ ବସତି ମୁହାଁ ହେଉଛନ୍ତି ଜଙ୍ଗଲ ଜନ୍ତୁ । ସାପଟି ମଧ୍ୟ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶିଆସିଥିବା କୁହାଯାଉଛି ।