ପାଟନା: ସରକାରୀ ଚାକିରିଆ ପୁଅକୁ ଅପହରଣ କରି ଜବରଦସ୍ତ ବାହାଘର। ଏସ୍ୟୁଭିରେ ଦୁଇ-ଚାରି ଯୁବକ ଆସିଲେ... ଚାକିରିଆ ଯୁବକକୁ ଉଠାଇ ନେଲେ। ଏହାପରେ ଜବରଦସ୍ତ ବାହା କରିଦେଲେ ଯୁବତୀଙ୍କ ସହିତ। ଭିଡିଓ ଭାଇରାଲ୍ ପରେ ମାମଲା ସାମ୍ନାକୁ ଆସିଲା। ଘଟଣା ଯାହା ଘଟିଲା ତାହା ତ ବୁଝିଲେ ହେଲା, ହେଲେ ଅଭିଯୋଗ ଯାହା, ତାହା ଘଟଣାକୁ ଅମିଂମାସିତ କରିଛି।
ଏଭଳି ଘଟଣା ଘଟିଛି ବିହାରର ବେଗୁସରାଇ ଜିଲ୍ଲାରେ। ଅବନିଶ କୁମାର ନାମକ ଏକ ଯୁବକଙ୍କୁ ଅପହରଣ କରି ଗୁଞ୍ଜିନ ନାମକ ଏକ ଯୁବତୀଙ୍କ ସହିତ ଜବରଦସ୍ତ ବିବାହ କରାଯାଇଛି। ଘଟଣାକୁ ନେଇ ଅବନିଶ କହିଛନ୍ତି ମୋତେ ମୋ ଇଚ୍ଛା ବିରୁଦ୍ଧରେ ମାର୍ପିଟ କରି ଝିଅ ସହ ବାହା କରିଦିଆଯାଇଛି। ଅନ୍ୟପଟେ ଗୁଞ୍ଜନ କହୁଛନ୍ତି, କିଛି ବାଧ୍ୟ କରାଯାଇ ନାହିଁ, ଆମେ ଦୁଇ ଜଣ ଗତ ୪ ବର୍ଷ ହେଲା ଭଲ ପାଉଥିଲୁ। ହେଲେ ପରିବାର ମନା କରୁଛନ୍ତି ବୋଲି ବାହାନା କରି ବାହା ହେବାକୁ ମନା କରୁଥିଲେ।
ଅବନିଶ ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସସି) ପରୀକ୍ଷା ପାସ୍ କରି ଶିକ୍ଷକ ଚାକିରି ପାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ଚାକିରିକୁ ଯାଉଥିବା ବେଳେ ହଠାତ୍ କିଛି ଲୋକ ଦୁଇଟି ଏସ୍ୟୁଭି କାର୍ରେ ଆସି ତାଙ୍କୁ ମାଡ଼ି ବସି ଗାଡ଼ିରେ ବସାଇ ଏକ ମନ୍ଦିରକୁ ନିଆଯାଇଥିଲା। ସେଠାରେ ଗୁଞ୍ଜନକୁ ଜବରଦସ୍ତି ବାହା ହେବାକୁ ବାଧ୍ୟ କରାଯାଇଥିଲା। ମୋତେ ସେମାନେ ମାର୍ପିଟ୍ ବି କରିଛନ୍ତି। ଯାହାର ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ଅବନିଶ ବିବାହକୁ ବିରୋଧ କରୁଥିବାର ମଧ୍ୟ ଦେଖାଯାଉଛି।
ଅନ୍ୟପଟେ ଗୁଞ୍ଜନ କିନ୍ତୁ ଭିନ୍ନ ଏକ କାହାଣୀ କହୁଛନ୍ତି। ସେ କହୁଛନ୍ତି ଯେ ସେ ରଜୌରାରେ ପାଠ ପଢ଼ୁଥିବା ବେଳେ ଅବନୀଶଙ୍କ ସହିତ ତାଙ୍କର ସାକ୍ଷାତ୍ ହୋଇଥିଲା। ସେ ଗତ ୪ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବି ରହିଥିଲା। ଅବନିଶ ପ୍ରଥମେ କଠିଆରରେ ଶିକ୍ଷକ ଥିବା ବେଳେ ତାଙ୍କୁ ବାରମ୍ବାର ଡକାଇ ପଠାଇଥିଲେ। ସମ୍ପର୍କ ବଢିବା ପରେ ଅବନିଶ ବିବାହ କରିବାକୁ ମନା କରିଥିଲେ।
ଗୁଞ୍ଜନ ଆହୁରି କହିଛନ୍ତି ଯେ ଏହାପରେ ପରିବାରର ହସ୍ତକ୍ଷେପରେ ଆମର ବିବାହ ହୋଇଥିଲା। କିନ୍ତୁ ଅବିନଶଙ୍କ ପରିବାର ଗୁଞ୍ଜନଙ୍କୁ ଗ୍ରହଣ କରିନଥିଲେ। ଏହାପରେ ସେ ଥାନାରେ ମାମଲା ମଧ୍ୟ କରିଛନ୍ତି। ହେଲେ ଅବନିଶ କହୁଛନ୍ତି ଯେ ତାଙ୍କ ମଧ୍ୟରେ ସେମିତି କୌଣସି ସମ୍ପର୍କ ନଥିଲା। ଗୁଞ୍ଜନର ଭଉଣୀ ଘରେ ଟ୍ୟୁସନ କରିବା ପରେ ଅଳ୍ପ ଅଳ୍ପ ଦେଖା ହୁଏ। ହେଲେ ଗୁଞ୍ଜନ ତାଙ୍କୁ ଫୋନ୍ କରି ବାରମ୍ବାର ହଇରାଣ ହରକତ କରୁଥିଲେ। ଏହାପରେ ମୁଁ ତାଙ୍କ ନମ୍ବର ବ୍ଲକ୍ କରିଦେଇଥିଲି ବୋଲି ଅବନିଶ କହିଛନ୍ତି। ତେବେ ତାଙ୍କୁ ଅପହରଣ କରି ଜବରଦସ୍ତ ବାହାର କରିଦିଆଯାଇଛି ବୋଲି ସେ ପୁଲିସରେ ଅଭିଯୋଗ କରିଥିବା ଅବନିଶ କହିଛନ୍ତି। ତେବେ କିଏ ସତ କହୁଛି ଆଉ କିଏ ମିଛ ପୁଲିସ ତଦନ୍ତ କଲେ ଜଣାପଡ଼ିବ।