LIVE TV

ଚମତ୍କାର… ! ମାତ୍ର ୬ ମାସରେ ଜନ୍ମ ନେଲା ୩୫୦ ଗ୍ରାମର ଶିଶୁ, ୧୨୪ ଦିନ ପରେ ହସ୍ପିଟାଲରୁ ହେଲା ଡିସଚାର୍ଜ

NEWS7
bjd-candidate-holds-campaigns-in-g-udayagiri-of-odisha-s-kandhamal

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଚମତ୍କାର । ଗୋଟିଏ ସେଓ ଠାରୁ କମ ଓଜନର ଜନ୍ମିତ ଶିଶୁ ପାଇଲା ନୂଆ ଜୀବନ।ମହାରାଷ୍ଟ୍ରର ମୁମ୍ବାଇରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ମାଲାଡର ସାଇନି ଦମ୍ପତିଙ୍କ ପାଇଁ ଦ୍ୱିତୀୟ କନ୍ୟାର ଜନ୍ମ ଏକ ଚମତ୍କାରଠାରୁ କମ୍ ନଥିଲା। ଜୁନ୍ ୩୦ରେ ମାତ୍ର ୨୫ ସପ୍ତାହ ଗର୍ଭଧାରଣ ପରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସେବେଠାରୁ ଶିଶୁକୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ NICUରେ ରଖାଯାଇଥିଲା। ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଶିଶୁଟିକୁ NICUରେ ୧୨୪ ଦିନ ରଖାଯାଇଥିଲା।

ଆଶ୍ଚର୍ଯ୍ୟର କଥା ଜନ୍ମ ସମୟରେ ତାଙ୍କର ଓଜନ ମାତ୍ର ୩୫୦ ଗ୍ରାମ ଥିଲା। ଯାହା ଗୋଟିଏ ସେଓ ଠାରୁ କମ୍ ଓଜନ। ଏକ ପୂର୍ଣ୍ଣ ବୟସ୍କ ପୁରୁଷଙ୍କ ହାତ ପାପୁଲି ଠାରୁ ବି ଛୋଟ ଥିଲା। ହସ୍ପିଟାଲର ମୁଖ୍ୟ ଡକ୍ଟର ଭୂପେନ୍ଦ୍ର ଅବସ୍ଥି କହିଛନ୍ତି ଯେ ଏହି ଶିଶୁଟି ଭାରତରେ ଜନ୍ମ ହୋଇଥିବା ସବୁଠାରୁ ଛୋଟ ଜୀବିତ ଶିଶୁ। ୩୫୦ ଗ୍ରାମ ଶିଶୁର ବଞ୍ଚିବା ଅତ୍ୟନ୍ତ ବିରଳ। ଏତେ କମ୍ ଜନ୍ମ ଓଜନ ଥିବା ଶିଶୁମାନଙ୍କର ବଞ୍ଚିବାର ସମ୍ଭାବନା ସାଧାରଣତଃ ବହୁତ କମ୍ ବୋଲି ବିବେଚନା କରାଯାଏ।

ଡକ୍ଟର କାବ୍ରା କହିଛନ୍ତି ଯେ ଡିସଚାର୍ଜ ହେବା ସମୟରେ ଶିଶୁଟିର ଓଜନ ୧.୮ କିଲୋଗ୍ରାମ, ଲମ୍ବ ୪୧.୫ ସେମି ଏବଂ ମୁଣ୍ଡର ପରିଧି ୨୯ ସେମି ବୃଦ୍ଧି ପାଇଛି। ବୟସ ଅନୁସାରେ ସ୍ନାୟୁଗତ ଭାବରେ ସ୍ୱାଭାବିକ ଥିଲା। ଜନ୍ମର ମାତ୍ର ୧୦ ମିନିଟ୍ ପରେ ଶିଶୁଟିକୁ ଶ୍ୱାସକ୍ରିୟାକୁ ସପୋର୍ଟ କରିବା ପାଇଁ ଇନଟ୍ୟୁବେଟ୍ କରିବାକୁ ପଡ଼ିଥିଲା। ସର୍ଫାକ୍ଟଣ୍ଟ ଥେରାପି ଗ୍ରହଣ କରାଯାଇଥିଲା।

ପରବର୍ତ୍ତୀ ଚାରି ମାସ ମଧ୍ୟରେ ଶିଶୁଟି ଅନେକ ଜଟିଳତାର ସମ୍ମୁଖୀନ ହୋଇଥିଲା। RDS, ମୃଦୁ ବ୍ରୋଙ୍କୋପଲମୋନାରୀ ଡିସପ୍ଲାସିଆ, ନିମୋନିଆ, ସାଇଟୋ ମେଗାଲୋଭାଇରସ୍  ସଂକ୍ରମଣ,  ରେଟିନୋପାଥି, ରକ୍ତହୀନତା, ଏବଂ ଅଷ୍ଟିଓପେନିଆ ପରି ସମସ୍ୟା ଦେଖାଦେଇଥିଲା। ବରିଷ୍ଠ ନବଜାତ ବିଶେଷଜ୍ଞ ଡାକ୍ତର ହରି ବାଲାସୁବ୍ରମଣ୍ୟମ କହିଛନ୍ତି ଯେ ଏହା ଏକ ପ୍ରତିଦିନର ଯୁଦ୍ଧ ଥିଲା। ଶିଶୁର ଭେଣ୍ଟିଲେସନ୍, ରକ୍ତ ଶର୍କରା, ମସ୍ତିଷ୍କ ଏବଂ ଆଖି ଉପରେ ନିରନ୍ତର ନଜର ରଖିବାକୁ ପଡ଼ିଥିଲା। ଶିଶୁର ବଞ୍ଚିବା ପ୍ରକୃତରେ ଚମତ୍କାର ଥିଲା।