ଭାରତ ଚାହୁଁଥିଲା ବାଂଲାଦେଶ ଖେଳୁ, ପାକିସ୍ତାନ ଭ୍ରମିତ କରିଛି, ଟି-୨୦ ବିଶ୍ଵକପ୍ ବିବାଦରେ BCCIର ବୟାନ

NEWS7
bjd-leader-vk-pandian-campaigning-while-addressing-public-meeting-in-tigiria

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ ୨୦୨୬କୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ବିବାଦ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ବାଂଲାଦେଶ ଭାରତରେ ନ ଖେଳିବା ନିଜ ଜିଦରେ ଅଟଳ ରହିବା ପରେ ଆଇସିସି ଏହି ଦଳକୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର କରିଛି।। ବାଂଲାଦେଶ ସହ ଆଇସିସିର ଏମିତି ବ୍ୟବହାର ଦେଖି ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବାକୁ ବିଚାର କରୁଛି ପାକିସ୍ତାନ। ଏହା ମଧ୍ୟରେ ବିସିସିଆଇ ପକ୍ଷରୁ ବୟାନ ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ଚାହୁଁଥିଲା ବାଂଲାଦେଶ ଟି-୨୦ ବିଶ୍ଵକପ୍ ଖେଳୁ। ଭାରତରେ ବାଂଲାଦେଶ ଖେଳାଳି, ସପୋର୍ଟ ଷ୍ଟାଫ ଏବଂ ପ୍ରଶଂସକଙ୍କୁ ପୂରା ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଇଥିଲା।

ରାଜୀବ ଶୁକ୍ଳା ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି, ଆମେ ଚାହୁଁଥିଲୁ ବାଂଲାଦେଶ ଟି-୨୦ ବିଶ୍ଵକପ୍ ୨୦୨୬ ଖେଳୁ। ଆମେ ଭରସା ଦେଇଥିଲୁ ଯେ, ପୂର୍ଣ୍ଣ ସୁରକ୍ଷା ଦିଆଯିବ। କୌଣସି ପ୍ରକାରର ସମସ୍ୟା ହେବ ନାହିଁ। ମାତ୍ର ନିଷ୍ପତ୍ତି ସେମାନଙ୍କ ହାତରେ ଥିଲା। ମାତ୍ର ବାଂଲାଦେଶ ସରକାର ନିଜ ଦଳକୁ ଭାରତ ନ ପଠାଇବା ଏବଂ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ଜିଦରେ ଅଟଳ ରହିଥିଲେ। କିନ୍ତୁ ପୂରା ସିଡ୍ୟୁଲକୁ ଶେଷ ମୁହୂର୍ତ୍ତରେ ବଦଳାଇବା କଠିନ କାମ। ଶେଷରେ ବାଧ୍ୟ ହୋଇ ଆଇସିସି ସ୍କଟଲାଣ୍ଡକୁ ଟି-୨୦ ବିଶ୍ଵକପରେ ସ୍ଥାନ ଦେଇଛି।

ବିସିସିଆଇ ଉପାଧ୍ୟକ୍ଷ ଏହି ପୂରା ମାମଲାରେ ପାକିସ୍ତାନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ବାଂଲାଦେଶକୁ ଅକାରଣରେ ସମର୍ଥନ ଦେବାର ଭରସା ଦେଲା। ପାକିସ୍ତାନ ଏଥିରେ ଅଯଥା ମୁଣ୍ଡ ଖେଳାଉଛି। ବାଂଲାଦେଶକୁ ଉସୁକାଇବାରେ ପାକିସ୍ତାନର ବଡ଼ ହାତ ରହିଛି। ପାକିସ୍ତାନକୁ ଏଥିରୁ ନିବୃତ୍ତ ରହିବା ଉଚିତ୍। ପାକିସ୍ତାନ ବାଂଲାଦେଶକୁ ଉସୁକାଇ ଅବାଟରେ ନେବାକୁ ଉଦ୍ୟମ କରୁଛି। ଏଥିରେ ବାଂଲାଦେଶ କ୍ରିକେଟର କ୍ଷତି ହେବ ବୋଲି ରାଜୀବ କହିଛନ୍ତି।ସୂଚନାଯୋଗ୍ୟ, ବାଂଲାଦେଶ ବିଦା ହେବା ପରେ ଟି-୨୦ ମାନ୍ୟତା ହିସାବରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ଵକପ୍ ୨୦୨୬ରେ ଏଣ୍ଟ୍ରି ମିଳିଛି।