ସକାଳୁ ସକାଳୁ ଥରିଲା ଆସାମ ; ମୋରିଗାଓଁରେ ୫.୧ ତୀବ୍ରତାରେ ଭୂକମ୍ପ ଅନୁଭୂତ, ମୃତାହତ ଖବର ନାହିଁ

NEWS7
bjd-protest-in-cuttack

ନୂଆଦିଲ୍ଲୀ ୦୫।୦୧; ସକାଳୁ ସକାଳୁ ଭୂକମ୍ପରେ ଥରିଲା ଆସାମ। ସୋମବାର ସକାଳେ ମୋରିଗାଓଁ ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୋର ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏପର୍ଯ୍ୟନ୍ତ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ଥିଲା। ଭୋର ୪:୧୭ ରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଅକ୍ଷାଂଶ ୨୬.୩୭ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୯୨.୨୯ ଡିଗ୍ରୀ ପୂର୍ବରେ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ପ୍ରାୟ ୫୦ କିଲୋମିଟର ବୋଲି ଜଣାପଡିଛି। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଲେ।

ସେପଟେ ଆଜି ସକାଳ ୩.୩୨ ମିନିଟରେ, ତ୍ରିପୁରାର ଗୋମତିରେ ମଧ୍ୟ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ପଡ଼ୋଶୀ ମେଘାଳୟର ରାଜଧାନୀ ଶିଲଂରେ ମଧ୍ୟ ଲୋକମାନେ ଭୂମିକମ୍ପ ଅନୁଭବ କରିଥିବା ସୂଚନା ମିଳିଛି। ତ୍ରିପୁରାର ଗୋମତିରେ 3.9 ତୀବ୍ରତାର ଭୂମିକମ୍ପ ହୋଇଥିଲା। ବର୍ତ୍ତମାନ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ପ୍ରଶାସନ ଜନସାଧାରଣଙ୍କୁ ସତର୍କ ରହିବା ଏବଂ କୌଣସି ଗୁଜବ ଏଡାଇବାକୁ ନିବେଦନ କରିଛି।