ଅମିତ୍ ଶାହଙ୍କୁ କାହିଁକି ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି ? ଜାଣନ୍ତୁ ହରିୟାଣା ପାଇଁ ପାର୍ଟିର ରଣନୀତି

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୧୭ରେ ନାୟବ ସିଂ ସୈନି ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ । ଏବେ ସୁଦ୍ଧା ଏହା ଉପରେ ଔପଚାରିକ ମୋହର ଲାଗି ନାହିଁ, କିନ୍ତୁ ସୈନି ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି । ପାର୍ଟି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ବିଧାୟକ ଦଳ ବୈଠକକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧୬ରେ ଚଣ୍ଡିଗଡ଼ରେ ବିଜେପି ବିଧାୟକ ଦଳ ବୈଠକ ହେବ । ସବୁ ବିଧାୟକଙ୍କୁ ଦୁଇ ଦିନ ଧରି ଚଣ୍ଡିଗଡ଼ରେ ରହିବା ପାଇଁ ପାର୍ଟି ପକ୍ଷରୁ କୁହାଯାଇଛି ।

ହରିୟାଣା ନିର୍ବାଚନରେ ବିଜେପି ୪୮ ଆସନ ଜିତିଥିବା ବେଳେ ତିନି ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ଏହି ବିଜୟ ପରେ ସିଏମ୍ ପାଦ ପାଇଁ ଅନେକ ଦାବିଦାର ସାମନାକୁ ଆସିଛନ୍ତି । ରାଜ୍ୟର ପୂର୍ବତନ ମନ୍ତ୍ରୀ ଅନିଲ ବିଜ୍ ନିଜକୁ ସବୁଠୁ ବରିଷ୍ଠ କହି ଏହି ପଦ ପାଇଁ ନିଜକୁ ଉପସ୍ଥାପନ କରିଛନ୍ତି । ସେହିପରି ଦକ୍ଷିଣ ହରିୟାଣାର ନେତା ଏବଂ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂ ମଧ୍ୟ ଏହି ପଦ ପାଇଁ ନିଜକୁ ଦାବିଦାର କରିଛନ୍ତି । ଅହିରୱାଲରୁ ୨୧ ବିଧାୟକ ଜିତିବା ପରେ ସେ ବୟାନ ଦେଇଥଇଲେ ଯେ ଏହି କ୍ଷେତ୍ରକୁ ନେତୃତ୍ୱର ସୁଯୋଗ ମିଳିବା ଦରକାର । 

ଦଳୀୟ ସୂତ୍ର ଅନୁସାରେ, ପାର୍ଟି ନେତୃତ୍ୱ ନିର୍ବାଚନ ଘୋଷଣା ପୂର୍ବରୁ ହିଁ ନାୟବ ସିଂ ସୈନିଙ୍କ ଚେହେରାରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିଲେ । ନାୟବ ସିଂ ପୂର୍ବତନ ମୁଖ୍ୟନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଘନିଷ୍ଠ ବୋଲି କୁହାଯାଏ । ୫ ମାସର କାର୍ଯ୍ୟକାଳରେ ନାୟବ ସିଂ ଅନେକ ଯୋଜନା ଲାଗୁ କରି ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବାରେ ସଫଳ ହୋଇଥିଲେ । ତେଣୁ ସେ ପୁରସ୍କାରର ହକଦାର ବୋଲି ପାର୍ଟିର ମତ ରହିଛି । 

ନିର୍ବାଚନ ଜିତିବା ପରେ ନାୟବ ସିଂ ସୈନି ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ । ଏନବିଟି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ନିର୍ବାଚନ ରିପୋର୍ଟ ଦେଇଥିଲେ । ତେବେ ଏହି ଗସ୍ତ ବେଳେ ନୂଆ ସରକାର ଗଠନ ପୂର୍ବରୁ ବରିଷ୍ଠ ନେତାଙ୍କ ଦାବି ଅଡ଼ୁଆ କରିପାରେ ବୋଲି କେନ୍ଦ୍ରୀୟ ନେତୃତ୍ୱକୁ ଅବଗତ କରାଇଥିଲେ । ଅନିଲ୍ ବିଜ୍‌ଙ୍କ ବୟାନ ଏବଂ କାର୍ଯ୍ୟକର୍ତ୍ତାଙ୍କ ଫିଡ୍‌ବ୍ୟାକ୍ ବି ଦେଇଛନ୍ତି । ଏହାପରେ ଜେପି ନଡ୍ଡା ଏପରି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ନେଲେ, ଯେଉଁମାନେ କେନ୍ଦ୍ରର ନିଷ୍ପତ୍ତିକୁ ଲାଗୁ କରିପାରିବେ ।

ପାର୍ଟି ସୂତ୍ର ଅନୁସାର କେନ୍ଦ୍ରୀୟ ନେତୃତ୍ୱ ରାଓ ଇନ୍ଦ୍ରଜିତଙ୍କ ସହ କଥା ହୋଇ ସୈନିଙ୍କ ନାଁ ପାଇଁ ସହମତି ପାଇ ସାରିଛି । କିନ୍ତୁ ଅନିଲ୍ ବିଜ୍ ଏବେ ବି ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ରୂପେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାର୍ଟି ଅମିତ୍ ଶାହଙ୍କୁ ବିଧାୟକ ଦଳ ବୈଠକ କରାଇବା ଦାୟିତ୍ୱ ଦେଇଛି । ଏହାସହ ବୈଠକରେ ମନୋହର ଲାଲ ଖଟ୍ଟର ଉପସ୍ଥିତ ରହିବେ ନାହିଁ, ଯେଉଁଥିରେ ନାୟବ ସିଂ ସୈନି ହିଁ ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ବୋଲି ସ୍ପଷ୍ଟ ମଧ୍ୟ ଯିବ । ଅକ୍ଟୋବର ୧୭ରେ ନାୟବ ସିଂ ସୈନିଙ୍କ ସହ ୧୨ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.