ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରି ରରିଛି । ଗୃହମନ୍ତ୍ରୀ ଅମିତ୍ ଶାହ ଏହାକୁ ଜାରି କରି ଅନେକ ପ୍ରତିଶ୍ରୁତି ଦେବା ସହ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ନ୍ୟାସନାଲ କନଫରେନ୍ସ ପ୍ରତିଶ୍ରୁତି ଦେଉଛି ଯେ କ୍ଷମତା ମିଳିଲେ ଧାରା ୩୭୦କୁ ପୁଣି ଲାଗୁ କରିବ । କଂଗ୍ରେସ କାହିଁକି ଚୁପ୍ ରହିଛି ? ଏହା କଣ ତାର ମୌନ ସମ୍ମତି । ଅମିତ୍ ଶାହ କହିଛନ୍ତି ଯେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଧାରା ୩୭୦ ଏବେ ଇତିହାସ ଏବଂ ଏହାକୁ ପୁଣି ଲାଗୁ କରିବାକୁ ଦିଆଯିବ ନାହିଁ । ବିଚ୍ଛିନ୍ନତାବାଦ ବିଚାରଧାରା ହିଁ ଯୁବକଙ୍କୁ ବିକାଶ ପରିବର୍ତ୍ତେ ଆତଙ୍କବାଦ ଆଡ଼କୁ ନେଉଛି । ଧାରା ୩୭୦ ଏବଂ ୩୫ଏ କେବେ ବି ଫେରିବ ନାହିଁ ।
ଅମିତ୍ ଶାହ କହିଛନ୍ତି ଯେ ଗତ ୧୦ ବର୍ଷରେ ଜାମ୍ମୁ କାଶ୍ମୀରରେ ଶାନ୍ତି ଏବଂ ବିକାଶ ଚାଲିଛି । ପୂର୍ବେ ପାକିସ୍ତାନରେ ବସି ଏଠାରେ ବନ୍ଦ କରିଯାଉଥିଲା, କିନ୍ତୁ ଏବେ ତାହା ହେଉ ନାହିଁ । ଏହା ବ୍ୟତୀତ ପଥରମାଡ଼ ଘଟଣା ମଧ୍ୟ ବନ୍ଦ ହୋଇଛି ଏବଂ କୌଣସି ସୁରକ୍ଷାକର୍ମୀ ଆହତ ହେଉନାହାନ୍ତି । ଅମିତ୍ ଶାହ କହିଛନ୍ତି ଯେ ନ୍ୟାସନାଲ୍ କନଫରେନ୍ସ ରାଜ୍ୟରେ ପୁଣି ଥରେ ଦୁଇ ବିଧାନ ଏବଂ ଦୁଇ ପତାକା ଲାଗୁ କରିବାକୁ ଚାହୁଁଛି । ସଂରକ୍ଷଣ ଛଡାଇ ନେବାକୁ ଚାହାନ୍ତି, କିନ୍ତୁ ବିଜେପି ସରକାର ଏପରି ହେବାକୁ ଦେବ ନାହିଁ । ଏହାସହ ବିଜେପିର ସଂକଳ୍ପ ପତ୍ର ଜାରି କରି ମହିଳା, କୃଷକ ଏବଂ ଯୁବର୍ଗଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ।
ବିଜେପିର ସଂକଳ୍ପ ପତ୍ର
- ଜାମ୍ମୁ କାଶ୍ମୀରରେ ନୂଆ ସରକାର ଗଠନ ପରେ ଶ୍ୱେତ ପତ୍ର ଜାରି କରାଯିବ । ଏଥିରେ ଆତଙ୍କବାଦ ବଢାଇଥିବା ଲୋକଙ୍କୁ ଉତ୍ତରଦାୟୀ କରାଯିବ ।
- ଘରର ସବୁଠୁ ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ୧୮୦୦୦ ଟଙ୍କା ଦେବା ନେଇ ପ୍ରତିଶ୍ରୁତି ।
- ପ୍ରେମନାଥ ଡୋଗରା ରୋଜଗାର ଯୋଜନାରେ ପ୍ରତିବର୍ଷ ୫ ଲକ୍ଷ ନିଯୁକ୍ତି ସୁଯୋଗ ।
- ଜାମ୍ମୁ କାଶ୍ମୀରରେ ଯୁବକ-ଯୁବତୀଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ୟୁପିଏସସି ଏବଂ ଜେକେପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ଦିଆଯିବ । ସେହିପରି ଯାତାୟାତ ପାଇଁ ମାସିକ ୩୦୦୦ ଟଙ୍କା ପ୍ରଦାନ ।
- ଜାମ୍ମୁରେ ଆଇଟି ହବ୍ ସ୍ଥାପନା କରାଯିବ ।
- ରଞ୍ଜୀତ ସାଗର ବନ୍ଦ ପାଇଁ ଏକ ଅଲଗା ହ୍ରଦ ବିକାଶ ପ୍ରାଧିକରଣ ନିର୍ମାଣ କରାଯିବ ।
- ସାବରମତୀ ରିଭରଫ୍ରଣ୍ଟ ପରି ରବି ରିଭରଫ୍ରଣ୍ଟ ତିଆରି କରାଯିବ ।
- ଡାଲ ହ୍ରଦକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରାଯିବ । ଏହା ବ୍ୟତୀତ ୱାଟର ସ୍ପୋର୍ଟ୍ସକୁ ପ୍ରୋତ୍ସାହିତ କରାଯିବ ।
- ଅଟଳ ଆବାସ ଯୋଜନାରେ ଭୂମିହୀନଙ୍କୁ ମାଗଣା ଭୂମି ପ୍ରଦାନ ।
- କିସ୍ତୱାଡାରେ ଆୟୁଷ ହର୍ବାଲ ପାର୍କର ବିକାଶ କରାଯିବ ।