ଭୁବନେଶ୍ବର ୯।୬: ୧୦ ତାରିଖ ନୁହେଁ ୧୨ ତାରିଖ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ । ଆସନ୍ତା ୧୨ ତାରିଖରେ ହେବ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଏ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ୧୧ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଓଡ଼ିଶା ସମେତ ୨ଟି ରାଜ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚାଗଲା । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟସ୍ତ ରହିବେ । ସାଂସଦ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ ବୋଲି ଯତୀନ ମହାନ୍ତି କହିଛନ୍ତି ।
ସେପଟେ ସେପଟେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଉଛି ଜନତା ମଇଦାନ । ସଭାସ୍ଥଳ ଫୁଲରେ ସଜେଇ ହେବ । ରାସ୍ତା ଆଲୋକୀକରଣ କରାଯିବ । ଏ ନେଇ ବହୁ ବରିଷ୍ଠ ଅଧିକାରୀ ସଭାସ୍ଥଳ ବୁଲି ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ସଭା ସ୍ଥଳ ଟେଣ୍ଟ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଟେଣ୍ଟ୍ ହସ୍ତାନ୍ତର କରିବାକୁ ଟାର୍ଗେଟ ରଖାଯାଇଛି । ତେଣୁ ଦିନରାତି କାମ ଚାଲିଛି । ଜର୍ମାନ୍ ହ୍ୟାଙ୍ଗର୍ ଡିଜାଇନ୍ରେ ସଭାସ୍ଥଳ ଟେଣ୍ଟ ହୋଇଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କିଏ କେଉଁଠି ବସିବ, ଏ ନେଇ ଅଧିକାରୀମାନଙ୍କୁ ବିଏମ୍ସି ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଜନତା ମଇଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା ମରାମତି କାମ ସରିଛି । ବାରିକେଡ୍ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଭାସ୍ଥଳ ଓ ବାହାର ଆଲୋକୀକରଣ କରାଯାଇଛି । ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଲାଇଟ୍ ଲଗାଯାଇଛି । ଏକାଧିକ ସରକାରୀ କୋଠା ମଧ୍ୟ ଆଲୋକ ମାଳାରେ ସଜେଇ ହେବ ।
ସେହିଭଳି ସଫେଇ ଉପରେ ବିଏମ୍ସି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ସଭାସ୍ଥଳ ଓ ବାହାରେ ୩ ଶହରୁ ଅଧିକ ସଫେଇ କର୍ମୀ ରହିବେ । ନିଜେ ଡେପୁଟି କମିସନର (ପରିମଳ) ଏହାର ତଦାରଖ କରିବେ । ଏହାସହ ଫୁଲରେ ସଜେଇବାକୁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଯେପରି ଶପଥ ଗ୍ରହଣ ଉତ୍ସବରେ ଲାଇନ୍ ନ କଟେ ସେଥିପ୍ରତି ଧ୍ୟାନ ଦେବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ୩୦ ଜିଲ୍ଲାରୁ ନିମନ୍ତ୍ରିତ ଅତିଥିମାନଙ୍କୁ ପାଛୋଟି ଆଣିବାକୁ ବିଏମ୍ସିର ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହେବେ । କେଉଁ ବସ୍ରେ ଆସିବେ, କେଉଁଠି ରହିବେ, କ’ଣ ଖାଇବେ ସେସବୁ ବୁଝିବାକୁ ଦାୟିତ୍ୱ ଦିଆଯାଇଛି । ସଭାରେ ୧ ଲକ୍ଷରୁ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ଭିଭିଆଇପି ଯୋଗଦେବାର ସୂଚନା ରହିଛି । ତେଣୁ ଯେପରି ପ୍ରଶାସନିକ ତ୍ରୁଟି ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି ।
You Can Read :
ଜେଲ୍ରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମିଳିଲା ୩ ଦିନିଆ ଅନ୍ତରୀଣ ଜାମିନ