ମହାରାଷ୍ଟ୍ର ବିଧାନପରିଷଦ ଉପନିର୍ବାଚନ ନିମନ୍ତେ ଜାରି ହେଲା ବିଜେପି ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 16, 2025 IST

ମୁମ୍ବାଇ ୧୬।୩: ମହାରାଷ୍ଟ୍ର ବିଧାନପରିଷଦର ଖାଲି ପଡିଥିବା ୫ ଆସନ ନିମନ୍ତେ ୨୭ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ରବିବାର ୩ ପ୍ରାର୍ଥୀଙ୍କ ଏକ ତାଲିକା ଜାରି କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଜଣେ ନିକଟତମ ସହଯୋଗୀ ଥିବା ବେଳେ ଆଉ ଜଣେ ପୂର୍ବତନ ବିଧାୟକଙ୍କ ନାମ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫ ଜଣ ବିଧାନପରିଷଦ ସଦସ୍ୟ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଏଣୁ ଖାଲି ପଡିଥିବା ବିଧାନପରିଷଦ ଆସନ ନିମନ୍ତେ ଉପନିର୍ବାଚନ ହେବାକୁ ଯାଉଛି। 

ବିଧାନସଭା ନିର୍ବାଚନରେ ବିଧାନପରିଷଦରୁ ଇସ୍ତଫା ଦେଇ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୩ ଜଣ ବିଜେପିର ଥିଲେ। ଏହା ଛଡା ଜଣେ ଶିବସେନା (ସିନ୍ଦେ)ର ହୋଇଥିବା ବେଳେ ଅନ୍ୟ ଜଣକ ଏନସିପି(ଅଜିତ)ର ପାର୍ଷଦ ଥିଲେ। ତେବେ ସମସ୍ତ ୫ ଜଣ ଏବେକା ମହାଯୁତୀର ସଦସ୍ୟ। ବିଜେପି ରବିବାର ଯେଉଁ ପ୍ରାର୍ଥୀ ତାଲିକା ଜାରି କରିଛି ଏଥିରେ ନାଗପୁରର ପୂର୍ବତନ ମହାପୌର ତଥା ଫଡନବୀଶଙ୍କ ନିକଟତମ ସହଯୋଗୀ ସନ୍ଦୀପ ଦିବାକର ରାଓ ଯୋଶୀଙ୍କ ନାମ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ସଞ୍ଜୟ କିଶାନ ରାଓ କେନେକର ଓ ପୂର୍ବତନ ବିଧାୟକ ଦାଦାରାଓ ୟାଦବରାଓ କେଚେଙ୍କ ନାମ ଘୋଷଣା କରାଯାଇଛି। 


କେଚେ ବିଦର୍ଭ କ୍ଷେତ୍ରର ବର୍ଦ୍ଧା ଜିଲ୍ଲା ଆରଭି ନିର୍ବାଚନମଣ୍ଡଳୀରୁ ୨୦୦୯  ଓ ୨୦୧୯ରେ ୨ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ତେବେ ୨୦୨୪ ନିର୍ବାଚରେ ତାଙ୍କୁ ଟିକେଟ୍ ମିଳିନଥିବାରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିନଥିଲେ। ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୭ ତାରିଖ ରହିଛି। ବିଧାନ ପରିଷଦ ସଦସ୍ୟଙ୍କ ଏହି ଉପନିର୍ବାଚନ ୨୮୮ ସଦସୀୟ ବିଧାନସଭାର ବିଧାୟକ କୋଟାରୁ ହେଉଛି। ବିଧାନସଭାରେ ବିଜେପିର ୧୩୨ ବିଧାୟକ ଥିବା ବେଳେ ଶିବସେନାର ୫୭ ଓ ଏନସିପିର ୪୧ ଜଣ ବିଧାୟକ ଅଛନ୍ତି। 


ନିମ୍ନ ସଦନରେ ଏନଡିଏ ମେଣ୍ଟର ସଂଖ୍ୟାଗରିଷ୍ଠତା ଥିବାରୁ ୫ଟି ଜାକ ଆସନ ଶାସକ ଦଳ ହାତେଇ ନେବେ ବୋଲି କୁହାଯାଉଛି। ପ୍ରର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ମାର୍ଚ୍ଚ ୧୮ ଥିବା ବେଳେ ମାର୍ଚ୍ଚ ୨୦ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଯଦି ଆବଶ୍ୟକତା ପଡିଲା ତେବେ ମାର୍ଚ୍ଚ ୨୭ ତାରିଖ ଦିନ ଭୋଟ ଗ୍ରହଣ ହେବ, ଯେଉଁଥିରେ ବିଧାୟକ ନିର୍ବାଚକ ମଣ୍ଡଳର ଅଂଶବିଶେଷ ହେବେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.