ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶୀଘ୍ର ଶପଥ ସମାରୋହ । ଡିସେମ୍ବର ୫ରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ ହେବ । ଏନେଇ ଶନିବାର ବିଜେପି ପକ୍ଷରୁ ଘୋଷଣା ହୋଇଛି । ମାତ୍ର କିଏ ହେବେ ମୁଖ୍ୟମନ୍ତ୍ରୀ ଏବେବି ସସ୍ପେନ୍ସ ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ ନେଇ ଦେବେନ୍ଦ୍ର ଫଡନବିସ୍ ବଡ଼ ଦାବିଦାର ରହିଛନ୍ତି । ଖୁବଶୀଘ୍ର ମହାୟୁତିର ବିଧାୟକ ଦଳ ବୈଠକ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ଏହାକୁ ଏଡାଇ ଦିଆଯାଇପାରିବ ନାହିଁ ଯେ, ପୂର୍ବଥର ଭଳି ଭାରତୀୟ ଜନତା ପାର୍ଟି କିଛି ବି ସରପ୍ରାଇଜ୍ ଦେଇପାରେ । ଏପଟେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ଏକସଙ୍ଗରେ ନେଇ ଚାଲିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ । ସିଏମ୍ ପଦ ବିଜେପିକୁ ଯିବା ନେଇ ମେଣ୍ଟରେ ସହମତି ପ୍ରକାଶ ପାଇଛି । ମାତ୍ର ମନ୍ତ୍ରିମଣ୍ଡଳକୁ ନେଇ ମହାୟୁତିରେ ଏଯାଏଁ ଅଡ଼ୁଆ ତୁଟିନାହିଁ । ଏକନାଥ ଗୋଷ୍ଠୀଙ୍କୁ କେଉଁ କେଉଁ ବିଭାଗ ଯିବ ଏବଂ ଅଜିତ୍ ପାଓ୍ବାରଙ୍କ ଗୋଷ୍ଠୀକୁ କ’ଣ ବିଭାଗ ମିଳିବ ?
ଦିଲ୍ଲୀ ମହାୟୁତି ନେତାଙ୍କ ବୈଠକରେ ସ୍ଥିର ହୋଇଛି ଯେ, ମହାରାଷ୍ଟ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିଜେପି ମୁଖ୍ୟମନ୍ତ୍ରୀ ସରକାର ଗଠନ କରିବେ ଏବଂ ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ଉଭୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅନ୍ୟପକ୍ଷେ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏବେ ସତରା ଜିଲ୍ଲାର ପୈତୃକ ଗାଁରେ ରହିଛନ୍ତି । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇରୁ ଏକ ଡାକ୍ତରୀ ଟିମ୍ ସତରାରେ ପହଞ୍ଚି ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି । ଏକନାଥ ସିନ୍ଦେ ଜ୍ବରରେ ଆକ୍ରାମଣ ହୋଇଥିବା ଜଣାପଡ଼ିବ ।