ରାୟଗଡା୧୯/୧: ଅନ୍ଧବିଶ୍ବାସର କରୁଣ ପରିଣତି । ଗୁଣି ସନ୍ଦେହରେ ୭୦ ବର୍ଷର ବୃଦ୍ଧାଙ୍କୁ ଛୁରାମାଡ । ରାୟଗଡା ଟାଉନ ଥାନା ମାଙ୍କଡଝୋଲା ଗାଁରେ ଅଭାବନୀୟ କାଣ୍ଡ । ଆହତ ବୃଦ୍ଧା ଖାଲିମଣି ଜାନୀଙ୍କ ପେଟର ଡାହାଣ ପଟେ ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ରାତି ୧୦ଟା ସମୟରେ ଗାଁର ବାଲୁ ଝୋଡିଆ ଓ ବେଜୁ ଜାନି ମିଶି ଖାଲିମଣିଙ୍କୁ ଘର ବାହାରକୁ ଡାକିଥିଲେ । ସେ ବାହାରକୁ ଆସିବା ପରେ ଠେଲାପେଲା କରିବା ସହ ଛୁରିରେ ଆକ୍ରମଣ କରି ପାଖ ନଦୀ ପଠାରେ ଫିଙ୍ଗି ଦେଇଥିଲେ । ରବିବାର ସକାଳୁ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଗତ କିଛି ମାସ ତଳେ, ଛୁରି ମାଡ କରିଥିବା ବାଲୁ ଝୋଡିଆର ବୋହୂ ଓ ନାତିଙ୍କ ଦେହ ଖରାପ ଯୋଗୁ ମୃତ୍ୟୁ ହୋଇଥିଲା । ବୋହୂ ଓ ନାତି ମୃତ୍ୟୁ ପଛରେ ଖାଲିମଣିଙ୍କ ହାତ ଥିବା ସନ୍ଦେହ କରୁଥିଲେ ବାଲୁ । ପୂର୍ବରୁ ଥରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଖାଲିମଣିଙ୍କୁ ନିସ୍ତୁକ ମାଡ ମାରିଥିଲେ ବାଲୁ ।
ଶନିବାର ରାତିରେ ଖାଲିମଣି ଏକା ଥିବାର ସୁଯୋଗ ନେଇ ପୁଣି ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ବାଲୁ । ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚି ଆହତ ଖାଲିମଣି ଓ ତାଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛି । ଫେରାର ବାଲୁକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।