LIVE TV
LIVE TV

ଏମିତି ହେଲେ ବରଖାସ୍ତ ହେବ; ଗମ୍ଭୀରଙ୍କୁ ଚେତାଇ ଦେଲେ ରବି ଶାସ୍ତ୍ରୀ

NEWS7
blast-at-angul-jindal-plant-no-casualties-reported-

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବର୍ତ୍ତମାନର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ନ ଆସେ ତେବେ ଗମ୍ଭୀରଙ୍କୁ କୋଚ୍ ପଦରୁ ବରଖାସ୍ତ କରାଯାଇପାରେ। ଏକ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି, ଗମ୍ଭୀରଙ୍କୁ ପ୍ରତ୍ୟେକ ଖେଳାଳିଙ୍କ ସହ ସ୍ପଷ୍ଟ ଭାବେ କଥା ହେବା ଉଚିତ୍। ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନରେ ସୁଧାର କରାଯିବା ଉଚିତ୍। ଏହା ସହିତ ଗମ୍ଭୀରଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବର୍ତ୍ତମାନ ସମୟକୁ ସେ ଚାପ ପରି ଗ୍ରହଣ ନ କରି ଶାନ୍ତି ଓ ଧୈର୍ଯ୍ୟର ସହ ନିଜ କାମ କରନ୍ତୁ।

ଭାରତର ସବୁଠୁ ସଫଳ କୋଚ୍ ମଧ୍ୟରୁ ଜଣେ ଥିବା ରବି ଶାସ୍ତ୍ରୀ ପ୍ରଭାତ ଖବର ସହ ଆଲୋଚନା ବେଳେ ଉପରୋକ୍ତ ବୟାନ ଦେଇଛନ୍ତି। ସେ କହିଛନ୍ତି ଯଦି ଆପଣଙ୍କ ପ୍ରଦର୍ଶନ ଖରାପ ତେବେ ଆପଣ ବରଖାସ୍ତ ହୋଇ ପାରନ୍ତି। ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ବଜାୟ ରଖିବା ଉଚିତ୍। ଏଠାରେ ଯୋଗାଯୋଗ ଓ ପରିଚାଳନା ସ୍କିଲ ବହୁତ ମହତ୍ଵପୂର୍ଣ୍ଣ। ତେବେ ଯାଇ ଆପଣ ଖେଳାଳିଙ୍କୁ ବିଜୟ ପାଇଁ ପ୍ରେରିତ କରି ପାରିବେ। ମୋ ସମୟରେ ବି ମୁଁ ଏମିତି କରିଥିଲି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ଆପଣ ଯାହା ବି କରୁଛନ୍ତି ତାହାର ମଜା ନିଅନ୍ତୁ। ଏହାକୁ ଚାପ ନଜରରେ ନ ଦେଖନ୍ତୁ।

ଟେଷ୍ଟରେ ଭାରତର ଦୁର୍ଗତି ପାଇଁ ରବି ଶାସ୍ତ୍ରୀ ଗୌତମ ଗମ୍ଭୀରଙ୍କୁ ସିଧାସଳଖ ଦୋଷ ଦେଇ ନାହାନ୍ତି। ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ ପରାଜୟ ପାଇଁ ଟିମର ପ୍ରତ୍ୟେକ ସଦସ୍ୟ ଦାୟୀ। ସେ ଖେଳାଳି ହୁଅନ୍ତୁ କି କୋଚ୍ କିମ୍ବା ଟିମ୍ ମ୍ୟାନେଜମେଣ୍ଟ ପରାଜୟ ପାଇଁ ସମସ୍ତେ ଦାୟୀ। ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ ହରାଇଛି। କୌଣସି ଜଣେ ଖେଳାଳି କିମ୍ବା ବ୍ୟକ୍ତିଙ୍କୁ ହରାଇନି। ଦକ୍ଷିଣ ଆଫ୍ରିକା ଦଳଗତ ପ୍ରଦର୍ଶନ କରି ସିରିଜ୍ ଜିତିଥିବା ଶାସ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତୀୟ ଟେଷ୍ଟ କ୍ରିକେଟ୍ ପତନ ଆଡ଼କୁ ଗତି କରି ଚାଲିଛି। ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତ ୧୨ ବର୍ଷ ପରେ ପ୍ରଥମ ଥର ନିଜ ମାଟିରେ ଟେଷ୍ଟ ସିରିଜ୍ ହାରିଥିଲା। ୨୦୨୪ରେ ନ୍ୟୁଜିଲାଣ୍ଡ ଭାରତକୁ ୩-୦ରେ ମାତ୍ ଦେଇଥିଲା। ପୁଣି ଗୋଟିଏ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଭାରତକୁ ଭାରତ ମାଟିରେ ହ୍ଵାଇଟ୍ ଓ୍ଵାଶ କରି ଦେଇଛି। କେବେ ନିଜ ଘରେ ସିଂହ ଥିବା ଟିମ୍ ଇଣ୍ଡିଆ ଏବେ ନିଜ ଘରେ ବି ସଂଘର୍ଷ କରୁଛି।

ରବି ଶାସ୍ତ୍ରୀ ଭାରତର ସବୁଠୁ ସଫଳ କୋଚ୍ ମଧ୍ୟରୁ ଜଣେ। ତାଙ୍କ କାର୍ଯ୍ୟକାଳରେ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତର ଟେଷ୍ଟ ବିଜୟ ପ୍ରତିଶତ ୬୫ ପ୍ରତିଶତ ଥିଲା। ତାଙ୍କ ଅମଳରେ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିଥିଲା। ତିନି ବର୍ଷ ପରେ ପୁଣି ଥରେ ଭାରତ ଏହି ସଫଳତାକୁ ଦୋହରାଇଥିଲା। ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଭାରତ ଲଗାତାର ୪୨ ମାସ ଧରି ଟେଷ୍ଟ ମାନ୍ୟତାରେ ଶୀର୍ଷରେ ରହିଥିଲା। ୨୦୨୧ର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ବି ଖେଳିଥିଲା।