ନୂଆଦିଲ୍ଲୀ: ନାବାଳକ କୋଚିଂ ଛାତ୍ରଙ୍କୁ ସିଗାରେଟ୍ ଡେଲିଭରି ଦେଇ ଗିରଫ ହେଲେ କ୍ୱିକ୍ କମର୍ଶ କମ୍ପାନୀ ବ୍ଲିଙ୍କିକିଟର କର୍ମଚାରୀ। ରାଜସ୍ଥାନ କୋଟା ସହରାଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ସତ୍ୟପ୍ରକାଶ କୋଲି (୪୮) ନାମକ ଜଣେ ବ୍ୟକ୍ତି କୋଚିଂ ଛାତ୍ରମାନଙ୍କୁ ସିଗାରେଟ୍ ଡେଲିଭରି ଦେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ରବିବାର କୋଟା ସହର ଏସପି ଅମୃତା ଦୁହାନ କହିଛନ୍ତି।
କୋଚିଂ ନେଉଥିବା ନାବାଳକ ଛାତ୍ରଛାତ୍ରୀଙ୍କୁ ସିଗାରେଟ ଯୋଗାଉଥିବା ନେଇ ଖବର ମିଳିବା ପରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସତ୍ୟପ୍ରକାଶକୁ ଗିରଫ କରାଯାଇଛି। ଏହି ମାମଲାରେ ବ୍ଲିଙ୍କିଟରେ କାମ କରୁଥିବା ଅଭିଯୁକ୍ତ ସତ୍ୟପ୍ରକାଶ ବିରୁଦ୍ଧରେ ଜୁଭେନାଇଲ୍ ଜଷ୍ଟିସ୍ (ଜେଜେ) ଆଇନର ଧାରା ୭୭ ଏବଂ ରାଜସ୍ଥାନ ଧୂମପାନ ନିଷେଧ ଏବଂ ନନ୍ ସ୍ମୋକର ହେଲ୍ଥ ପ୍ରୋଟେକ୍ସନ ଆକ୍ଟର ଧାରା ୯/୧୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ବୋଲି ଏସପି କହିଛନ୍ତି।
ଏସ୍ପି ଆହୁରି କହିଛନ୍ତି ନାବାଳକ ଛାତ୍ରମାନଙ୍କୁ ସିଗାରେଟ୍ ବିକ୍ରି କିମ୍ବା ଯୋଗାଣ ନକରିବାକୁ ସିଟି ପୁଲିସ ପୂର୍ବରୁ ଲ୍ୟାଣ୍ଡମାର୍କ ସିଟିରେ ଥିବା ବ୍ଲିଙ୍କିଟ୍ କମ୍ପାନୀର କାର୍ଯ୍ୟାଳୟକୁ ଚିଠି ଲେଖି ଅନୁରୋଧ କରିଥିଲା। ଏହା ସତ୍ତ୍ୱେ ବି କମ୍ପାନୀ ଛୋଟ ପିଲାମାନଙ୍କୁ ସିଗାରେଟ୍ ଯୋଗାଉଛି। ଏହାପରେ ତଦନ୍ତ କରି ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ଆରମ୍ଭ କରିଛି। ମାମଲାରେ ଆହୁରି ତଦନ୍ତ ଚାଲିଛି। କେବଳ ସେତିକି ନୁହେଁ କମ୍ପାନୀ ବିରୋଧରେ ମଧ୍ୟ ପୁଲିସ ମାମଲା କରିଛି ବୋଲି କୁହାଣ୍ଡି ସାର୍କଲ ଇନସ୍ପେକ୍ଟର ଅରବିନ୍ଦ ଭରଦ୍ୱାଜ କହିଛନ୍ତି।