SCBରେ ବୋନ୍ ବ୍ୟାଙ୍କ ଉଦ୍‌ଘାଟିତ,ଅସ୍ଥି ସମ୍ବନ୍ଧୀୟ ରୋଗରେ ଉନ୍ନତ ଚିକିତ୍ସା ହୋଇପାରିବ

Published By : Prameya-News7 Bureau | October 09, 2024 IST

କଟକ ୯/୧୦: ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡି ହେଲା ନୂଆ ଅଧ୍ୟାୟ । SCBରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ବୋନ୍‌ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବୋନ୍‌ ବ୍ୟାଙ୍କର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବ୍ୟାଙ୍କ ଯୋଗୁ ଅସ୍ଥି ରୋଗ ଚିକିତ୍ସା ଦିଗରେ ଆହୁରି ଉନ୍ନତ ହେବ । ରାଜ୍ୟର ପ୍ରଥମ ସରକାରୀ ହସ୍‌ପିଟାଲ ଭାବେ ଏସ୍‌ସିବିରେ ଏହି ସୁବିଧା ଉପଲବ୍ଧ । ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତଦେହ ଠାରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଚ୍ଛିତ ରଖାଯାଇପାରିବ । ପରେ ସେହି ଅସ୍ଥିକୁ ଆଉ କାହା ଶରୀରରେ ଉପଯୋଗ କରାଯାଇପାରିବ ।


ଏହି ସେବା ସଂପୂର୍ଣ୍ଣ ଭାବେ ମାଗଣା ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହି ବୋନ୍‌ ବ୍ୟାଙ୍କ ପୂର୍ବ ଭାରତର ପ୍ରଥମ ବୋନ୍‌ ବ୍ୟାଙ୍କ । ତେବେ ଏଚ୍‌ଆଇଭି କିମ୍ବା ହେପାଟାଇଟସ୍‌ ରୋଗୀଙ୍କ ଠାରୁ ବୋନ୍‌ ସଂଗ୍ରହ କରିବାର ବ୍ୟବସ୍ଥା ନାହିଁ । ସଂଗୃହୀତ ବୋନ୍‌କୁ ପରବର୍ତ୍ତୀ ସମୟରେ ଦୁର୍ଘଟଣାଗ୍ରସ୍ତ କିମ୍ବା ଅନ୍ୟ ଅସ୍ଥିଶଲ୍ୟ ଜନିତ ରୋଗୀଙ୍କ ଅପରେସନରେ ଅବସ୍ଥା ଦେଖି ବ୍ୟବହାର କରାଯାଇ କ୍ଷତିଗ୍ରସ୍ତ ବୋନ୍‌ରେ ପୁନର୍ଗଠନ କରାଯାଇପାରିବ । ଏହି ବ୍ୟବସ୍ଥା ଦ୍ବାରା ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ରୋଗୀ ମଧ୍ୟ ଉପକୃତ ହୋଇପାରିବେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.