ବିପିଏଲ୍ କମ୍ପାନୀ ପ୍ରତିଷ୍ଠାତା ଟି.ପି. ଗୋପାଳନ ନାମ୍ବିଆରଙ୍କର ପରଲୋକ, ଦେଶ ପାଇଁ ତାଙ୍କ ଅବଦାନ ଅନେକ

Published By : Prameya-News7 Bureau | October 31, 2024 IST

internet

ନୂଆଦିଲ୍ଲୀ: ବ୍ରିଟିଶ ଫିଜିକାଲ ଲାବୋରେଟୋରୀ (ବିପିଏଲ) ଲିମିଟେଡର ପ୍ରତିଷ୍ଠାତା ଟି.ପି. ଗୋପାଳନ ନାମ୍ବିଆରଙ୍କର ପରଲୋକ ହୋଇଛି। ୨୦୨୪ ଅକ୍ଟୋବର ୩୧ ଗୁରୁବାର ଦିନ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏହି ବିଶିଷ୍ଠ ଶିଳ୍ପପତି। ଟିପି ଗୋପାନ ନମ୍ବିଆର ହେଉଛନ୍ତି ପୂର୍ବତନ ଆଇଟି ମନ୍ତ୍ରୀ ବିଜେପି ନେତା ରାଜୀବ ଚନ୍ଦ୍ରଶେଖରଙ୍କ ଶ୍ୱଶୁର। ତାଙ୍କ ଦ୍ୱାରା ବିପିଏଲ କମ୍ପାନୀ ୧୯୬୩ ମସିହାରେ କେରଳର ପାଲକ୍କଡ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା। ପରେ ଏହା ବେଙ୍ଗାଲୁରୁର ଚର୍ଚ୍ଚ ଛକକୁ ସ୍ଥାନାନ୍ତରିତ ହୋଇଥିଲା।

ବିପିଏଲ କମ୍ପାନୀ ପ୍ରଥମେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରୁଥିଲା। ପରେ ବ୍ୟବସାୟକୁ ବଢ଼ାଇବା ପାଇଁ କମ୍ପାନୀ ରଙ୍ଗିନ ଟିଭି, ଭିଡିଓ କ୍ୟାସେଟ୍ ଆଦି ତିଆରି କରିଥିଲା। ଆଉ ୧୯୯୦ ଦଶକ ମଧ୍ୟରେ ବିପିଏଲ୍ ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା।

ନାମ୍ବିଆରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା। ଟିପିଜି ନାମ୍ବିଆର ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ୟେଦିୟୁରପ୍ପା କହିଛନ୍ତି “ ଆଇକନିକ୍ ବିପିଏଲ୍ ବ୍ରାଣ୍ଡର ପ୍ରତିଷ୍ଠାତା ଶ୍ରୀ ଟିପିଜି ନାମ୍ବିଆରଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ସହିତ ମୋର ଦୀର୍ଘ ଦିନର ଘନିଷ୍ଠ ସମ୍ପର୍କ ରହିଥିଲା। ଶ୍ରୀ ନାମ୍ବିଆରଙ୍କ ବିପୁଳ ଅବଦାନ ଏବଂ ତାଙ୍କର କୃତି ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ପ୍ରିୟଜନଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି।” ନାମ୍ବିଆରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ବୟସାଧିକ କାରଣରୁ ଦୀର୍ଘଦିନ ଧରି ଅସୁସ୍ଥ ରହୁଥିଲେ।

ନାମ୍ବିଆରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଭାରତୀୟ ଜାତୀଯ କଂଗ୍ରେସ। ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛି ଯେ ପ୍ରକୃତରେ ନାମ୍ବିଆର ପାଲକ୍କଡରୁ 'ମେକ୍ ଇନ୍ ଇଣ୍ଡିଆ' ବହ୍ନି ପ୍ରଜ୍ୱଳିତ କରିଥିଲେ। ତାଙ୍କର ବ୍ୟବସାଯ ପ୍ରତିରକ୍ଷା, ମେଡିକାଲ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଏବଂ ରପ୍ତାନି ବଜାରରେ ବିସ୍ତାର କରିଥିଲା। ଏଥିରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିଥିଲା ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦନକୁ ଉନ୍ନତ କରିଥିଲା ବୋଲି କଂଗ୍ରେସ କହିଛି।  

କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁର ମଧ୍ୟ ନାମ୍ବିଆରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନାମ୍ବିଆର ଜଣେ ଦୂରଦୃଷ୍ଟି ସମ୍ପନ୍ନ କେରଳ ଶିଳ୍ପପତି ଥିଲେ। ସେ ୧୯୬୧ ମସିହାରେ ବ୍ରିଟିଶ ଫିଜିକାଲ ଲାବୋରେଟୋରୀ ସ୍ଥାପନ କରିବା ପରେ ପାଲକ୍କଡରେ ଏକ ଅତ୍ୟାଧୁନିକ ସୁବିଧା ସ୍ଥାପନ କରି ଏଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ସିଏ ସମସ୍ତଙ୍କ ପାଇଁ ପ୍ରେରଣାରୁ ଉତ୍ସ ବୋଲି ଥରୁର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.