ଖଡ଼ଗେ-ରାହୁଲଙ୍କ ସହ ବୈଠକ ପରେ ଥରୁର ଖୁସି, କହିଲେ- କେରଳ ନିର୍ବାଚନରେ ପ୍ରଚାର କରିବି

NEWS7
brother-in-law-died-in-mohana-valiagani-village

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ଶଶି ଥରୁରଙ୍କ ପ୍ରତିକ୍ରିୟା ମିଳିଛି । କଂଗ୍ରେସ ସହ ବିବାଦ ନେଇଯେଉଁ କଳ୍ପନ ଜଳ୍ପନା ଚାଲିଥିଲା ତା ଉପରେ ସେ ଫୁଲଷ୍ଟପ୍ ଲଗାଇଛନ୍ତି । ବିଭିନ୍ନ ସମୟରେ ସେ କଂଗ୍ରେସ ମତକୁ ଅଣଦେଖା କରି ବିଜେପି ସମର୍ଥନରେ ମନ୍ତବ୍ୟ ଦେଉଥିଲେ । ସେ କଂଗ୍ରେସ ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଥରୁରୁ ଶନିବାର ଥିରୁଅନନ୍ତପୁରମରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ତାଙ୍କର କେବଳ ଗୋଟିଏ ଦଳ କଂଗ୍ରେସ ଏବଂ ସେ କେରଳ ନିର୍ବାଚନରେ ୟୁଡିଏଫ ପାଇଁ ପ୍ରଚାର କରିବେ ବୋଲି ଶଶି ଥରୁରୁ ସ୍ପଷ୍ଟ କରିଛନ୍ତି । ସେ ଗଣମାଧ୍ୟମକୁ ଏଭଳି ପ୍ରଶ୍ନ ପଚାରିବାକୁ ମନା ମଧ୍ୟ କରିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ଥରୁର କହିଥିଲେ, ସେ କଂଗ୍ରେସ ଦଳରେ ରହିବେ । ଅନ୍ୟ କୌଣସି ଦଳକୁ ଯିବେ ନାହିଁ । କେରଳ ନିର୍ବାଚନରେ ପ୍ରଚାର କରିବେ । ୟୁଡିଏଫର ବିଜୟ ପାଇଁ କାମ କରିବେ । ଶଶି ଥରୁର ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଶଶି ଥରୁରଙ୍କୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ଲାଗି ଏହି ବୈଠକ ହୋଇଥିଲା ବୋଲି କୁହାଯାଉଛି । ସାକ୍ଷାତ ଆଲୋଚନା କରେ ଶଶି ଥରୁର କହିଥିଲେ, ସବୁ ଠିକ୍ ଅଛି ଏବଂ ସମସ୍ତେ ଏକାଠି ଅଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା ଥରୁର କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଏବଂ ସେ ବିଜେପିରେ ଯୋଗ ଦେଇପାରନ୍ତି। କୋଚିରେ ଏକ କାର୍ଯ୍ୟକ୍ରମରେ ତାଙ୍କ ପ୍ରତି ହୋଇଥିବା ବ୍ୟବହାର ଏବଂ କିଛି ନେତାଙ୍କ ଦ୍ୱାରା ତାଙ୍କୁ ସାଇଡ୍ କରାଯିବା ପ୍ରୟାସକୁ ନେଇ ଥରୁର ଅସନ୍ତୁଷ୍ଟ ଥିଲେ । କିନ୍ତୁ ଏବେ ସମସ୍ତ ଅଭିଯୋଗର ସମାଧାନ ହୋଇଛି ଏବଂ ଥରୁର ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସ ଛାଡ଼ୁନାହାନ୍ତି। ତାଙ୍କର ରାଜନୈତିକ କାର୍ଯ୍ୟକଳାପ ସଂପର୍କରେ ପୂର୍ବାନୁମାନ କରିବା ଭୁଲ ବୋଲି ଶଶି ଥରୁର କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସର ଶୀର୍ଷ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ବିଷୟରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଭିତ୍ତିହୀନ।

କଂଗ୍ରେସର ୩ ବଡ଼ ନେତାଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ କେରଳ ବିଧାନସଭା ନିର୍ବାଚନ ଏବଂ କଂଗ୍ରେସ ଲାଗି ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ଦଳ ଗତ ୧୦ ବର୍ଷ ଧରି ରାଜ୍ୟରେ ବିରୋଧୀ ଦଳରେ ରହିଛି ଏବଂ ଏଥର ଜିତିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି। କେରଳରେ ଶଶି ଥରୁର ଜଣେ ପ୍ରମୁଖ କଂଗ୍ରେସ ନେତା । ସେଠାରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି । ଫଳରେ ଥରୁରଙ୍କ ପରି ଜଣେ ପ୍ରମୁଖ ନେତା ବିଧାନସଭା ନିର୍ବାଚନ ପାଇଁ ସକ୍ରିୟ ଭାବରେ ପ୍ରଚାର କରିବା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।