୭ ରାଜ୍ୟର ୧୦ ରାଜ୍ୟସଭା ଆସନରେ ଉପ-ନିର୍ବାଚନ, ସଂସଦରେ ବଢ଼ିବ ଏନଡିଏର ଶକ୍ତି

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ, ୧୪/୬: ଲୋକସଭା ନିର୍ବାଚନ ପରେ ହେବ ରାଜ୍ୟସଭା ଉପ-ନିର୍ବାଚନ । ୭ ରାଜ୍ୟରେ ୧୦ ରାଜ୍ୟସଭା ଆସନ ଖାଲିପଡ଼ିଛି । ରାଜ୍ୟସଭା ସାଂସଦ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହେବା  ପରେ ଏବେ ଖାଲିପଡ଼ିଥିବା ଏହି ରାଜ୍ୟସଭା ଆସନଗୁଡ଼ିକରେ ଉପ-ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ  ଏନ୍‌ଡିଏ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି । ୭ ଆସନ ଥିବା ରାଜ୍ୟରେ ଏବେ  ବିଜେପି ସରକାର ଥିବାବେଳେ ଦୁଇଟିରେ କଂଗ୍ରେସ ଏବଂ ଗୋଟିଏରେ ରାଷ୍ଟ୍ରୀୟ ଜନତା  ଦଳ(ଆର୍‌ଏଲ୍‌ଡି) ରହିଛି । ଆସାମ, ବିହାର ଏବଂ ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ଏବଂ  ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ  ତ୍ରିପୁରାରେ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଖାଲି ରହିଛି । 

ବିଜେପିର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବା ସର୍ବାନନ୍ଦ   ସୋନୋୱାଲ(ଆସାମ), ଜ୍ୟୋତିରାଦିତ୍ୟ ସିନ୍ଧିଆ(ମଧ୍ୟପ୍ରଦେଶ) ଏବଂ ପିୟୂଷ  ଗୋୟଲ(ମହାରାଷ୍ଟ୍ର) ଏବେ ନିମ୍ନସଦନ ବା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।  ହରିୟାଣା, ମହାରାଷ୍ଟ୍ରରେ ଏନ୍‌ଡିଏ  ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଭିତରେ ଲଢ଼େଇ ଦେଖିବାକୁ ମିଳିପାରେ । କିନ୍ତୁ ବାକି ୫ ରାଜ୍ୟରେ ବିଜେପି ସହଜରେ ରାଜ୍ୟସଭା ଆସନଗୁଡ଼ିକରେ ଜିତିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆସାମ ସମେତ   ତ୍ରିପୁରା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ  ବିଜେପି ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି ।  

ବିହାରରେ ଉଭୟ ବିଜେପି ଏବଂ ଆର୍‌ଏଲ୍‌ଡି  ଗୋଟିଏ ଲେଖାଏ ସିଟ୍‌ ନେଇପାରିବେ ।  ଏବେ ହରିୟାଣାରେ ମୋଟ ୮୭ ବିଧାୟକ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୪୧ ବିଧାୟକ ଥିବାବେଳେ କଂଗ୍ରେସର ୨୯ ବିଧାୟକ ରହିଛନ୍ତି । ଏଠାରେ ଦୁଷ୍ୟନ୍ତ  ଚୌତାଲାଙ୍କ ଜେଜେପି ପାଖରେ ୧୦ ବିଧାୟକ ଥିବାବେଳେ ୫ ସ୍ୱାଧୀନ ବିଧାୟକ  ଏବଂ ଏବଂ ଆଇଏନ୍‌ଏଲ୍‌ଡିର ଗୋଟିଏ ଓ  ଏଚ୍‌ଏଲ୍‌ପିର ଜଣେ ବିଧାୟକ ରହିଛନ୍ତି ।  ଯଦି ସ୍ୱାଧୀନ ବିଧାୟକ ନୟନ ପାଲ୍‌ ରାୱତ ଏବଂ ଏଚ୍‌ଏଲ୍‌ପି ବିଧାୟକ ଗୋପାଳ କାନ୍ଦାଙ୍କ ସମର୍ଥନକୁ ମିଶାଯାଏ ତେବେ ହରିୟାଣାରେ  ବିଜେପିର କ୍ଷମତା ୪୩ ହୋଇଯିବ । ଜେଜେପି  ସମେତ ୩ ସ୍ୱାଧୀନ ବିଧାୟକ କଂଗ୍ରେସକୁ  ସମର୍ଥନ କରୁଛନ୍ତି । ତେଣୁ କଂଗ୍ରେସ ଓ  ବିଜେପି ମଧ୍ୟରେ ହରିୟାଣାରେ ମୁକାବିଲା  ଦେଖିବାକୁ ମିଳିବ । ତେବେ ଜେଜେପିର ୬  ବିଧାୟକ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିବାରୁ ଏହା  କଂଗ୍ରେସର ଅଡ଼ୁଆ ବଢ଼ାଇପାରେ । 

ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀପଦ ନ ମିଳିବାକୁ ନେଇ ମହାରାଷ୍ଟ୍ରରେ  ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ  ପାୱାରଙ୍କ ଏନ୍‌ସିପି ଭିତରେ ସବୁକିଛି ଠିକ୍‌  ଥିବା ଭଳି ମନେ ହେଉନାହିଁ । ଅଜିତଙ୍କ  ଏନ୍‌ସିପିକୁ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଯଚା  ଯାଇଥିଲେ ହେଁ ଅଜିତ ମନା କରିଥିଲେ ।  ସେହିପରି ୭ ଲୋକସଭା ଆସନ ଜିତିବା  ସତ୍ତେ୍ୱ ଶିବସେନାକୁ କ୍ୟାବିନେଟ ମନ୍ତ୍ରୀ  ପଦ ମିଳି ନ ଥିବାରୁ ଅସନ୍ତୋଷ ରହିଛି ।  ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ  ସମେତ ଶରଦ ପାୱାରଙ୍କ ଏନ୍‌ସିପି ଏବଂ  ଉଦ୍ଧବ ଠାକ୍‌ରେଙ୍କ ଶିବସେନା ରହିଛି ।  ତେଣୁ ମହାରାଷ୍ଟ୍ରରେ କଂଗ୍ରେସ ବିଜେପିକୁ  ଅସୁବିଧାରେ ପକାଇପାରେ ।

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.