ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଓ ମେଣ୍ଟକୁ ବିପୁଳ ଜନସମର୍ଥନ ମିଳିବା ପରେ ନିରାଶା ବ୍ୟକ୍ତ କରିଛନ୍ତି ଉଦ୍ଧବ ଠାକରେ। ଏଭଳି ଭୋଟର ସୁନାମିର ହକ୍ଦାର ପାଇଁ ମହାୟୁତି ମେଣ୍ଟ କଣ ଏମିତି କରିଛି କି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ ତାଙ୍କ ଦଳକୁ ମିଳିଥିବା ଜନସମର୍ଥନ ପାଇଁ ମହାରାଷ୍ଟ୍ର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ତା’ ସହିତ ଏନ୍ଡିଏର ବିଜୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ଉଦ୍ଧବ କହିଛନ୍ତି “ରେଜଲ୍ଟରୁ ଜଣାପଡ଼ୁଛି ଯେ ଏଠି ତରଙ୍ଗ ନୁହେଁ ବରଂ ସୁନାମୀ ଥିଲା। କିନ୍ତୁ ମୁଁ ବୁଝିପାରୁନି ସେମାନେ କଣ ଏମିତି କରିଛନ୍ତି ଯେ ତାଙ୍କୁ ଏଭଳି ଜନମତ ମିଳିଲା?” ଖବର ଲେଖାଯିବା ସୁଦ୍ଧା ମହାରାଷ୍ଟ୍ରରେ ଏନ୍ଡିଏ ୨୩୦ ଆସନରେ ଆଗୁଆ ରହିଛି। ସେହିପରି ମହା ବିକାଶ ଅଘାଡ଼ି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। ମାତ୍ର ୬୦ ଆସନରେ ଆଗୁଆ ରହିଛି ମେଣ୍ଟ। ୪ ମାସ ପୂର୍ବରୁ ଲୋକସଭା ନିର୍ବାଚନରେ ମହା ବିକାଶ ଅଘାଡ଼ି ମେଣ୍ଟ ବିଜେପିକୁ ଟପି ଆଗରେ ରହିଥିଲା। ହେଲେ ୪ ମାସ ପରେ ଏତେ ଭୋଟ୍ ସଂଖ୍ୟା ହ୍ରାସ ଉଦ୍ଧବଙ୍କୁ ଚକ୍କିତ କରିଛି।
ଉଦ୍ଧବ କହିଛନ୍ତି “ କୃଷକମାନେ ସମସ୍ୟାରେ ଅଛନ୍ତି, ରାଜ୍ୟରେ ବେରୋଜଗାରୀ ବଢ଼ିଛି। ସେମାନେ ଏମିତି କଣ କଲେ ଯେ ତାଙ୍କୁ ଭୋଟର ସୁନାମୀ ମିଳିଲା? ମୋତେ ଲାଗୁନି ଯେ ବଟେଙ୍ଗେ ତୋ କଟେଙ୍ଗେ ସ୍ଲୋଗାନ କାମ କଲା।” ବିଜୟ ପାଇଁ ଏନ୍ଡିଏକୁ ବଧେଇ ଜଣାଇ ଉଦ୍ଧବ କହିଛନ୍ତି “ସେମାନଙ୍କ ବିଜୟ ମୁଁ ସେମାନଙ୍କୁ ବିଧେଇ ଜଣାଉଛି। ଏବଂ ଆଶା କରୁଛି ଯେ ଲଡକୀ ବହୀନ ଯୋଜନା କେବଳ ନିର୍ବାଚନୀ ଚୁଟ୍କୁଲା ହୋଇ ନ ରହିଯାଉ କାର୍ଯ୍ୟକାରୀ କରାଯାଉ। ଆଶା କରୁଛି କୃଷକଙ୍କ ଋଣ ଛାଡ଼ା କରାଯିବ, ନିର୍ବାଚନରେ ସେମାନେ ଯେଉଁ ପ୍ରମିଜ୍ କରିଥିଲେ ତାହା ପୂରଣ କରିବେ ବୋଲି ମୋର ଆଶା।”
ମହାରାଷ୍ଟ୍ର ଲୋକଙ୍କ ଉପରେ ଅଭିମାନ କରି ଉଦ୍ଧବ କହିଛନ୍ତି “ ମୁଁ ବିଶ୍ୱାସ କରିପାରୁ ନି ଯେ ଏଇ ମହାରାଷ୍ଟ୍ର, ସେହି ରାଜ୍ୟ ଯିଏ କୋଭିଡ୍ ସମୟରେ ମୋତେ ପରିବାରର ମୁଖ୍ୟ ଭାବି ମୋ ପଛରେ ରହିଥିଲା ମୋ କଥା ଶୁଣୁଥିଲା, ସିଏ ଆଜି ଏଭଳି ବ୍ୟବହାର କରିବ।”