ପାକିସ୍ତାନରେ ବଡ଼ ପରିବର୍ତ୍ତନ: ୬ ମନ୍ତ୍ରଣାଳୟ ଉଚ୍ଛେଦ, ଦେଢ଼ ଲକ୍ଷ ସରକାରୀ ଚାକିରି ରଦ୍ଦ

Published By : Prameya-News7 Bureau | September 29, 2024 IST

indiatoday

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଶେଷରେ ବାଧ୍ୟ ହୋଇ ଅନ୍ତର୍ଜାତୀୟ ମୁଦ୍ରା କୋଷର ସର୍ତ୍ତରେ ରାଜି ହୋଇଛି।  ଦେଶରେ ବଡ଼ ପରିବର୍ତ୍ତନ ହୋଇଛି। ରବିବାର ପାକିସ୍ତାନ ସରକାର ଦେଢ଼ଲକ୍ଷ ସରକାରୀ ଚାକିରି ଉଚ୍ଛେଦ କରିଛନ୍ତି। ତା’ ସହିତ ୬ଟି ମନ୍ତ୍ରଣାଳୟ ବନ୍ଦ କରିଦେବା ସହିତ ଦୁଇଟି ମନ୍ତ୍ରଣାଳୟକୁ ସମ୍ପର୍କିତ ମନ୍ତ୍ରଣାଳୟ ସହିତ ବିଲୟ କରିଦିଆଯାଇଛି। ଏହିସବୁ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ସରକାରୀ ଚାକିରିଗୁଡ଼ିକ ରଦ୍ଦ କରାଯାଇଛି।  ଏନେଇ ରବିବାର ଶେହେବାଜ ସରକାର ଘୋଷଣା କରିଛନ୍ତି।  

ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ପାକିସ୍ତାନ ୭ ବିଲିଅନ ଆମେରିକୀୟ ଡଲାର ଋଣ ଆଣିବାକୁ ଚାହୁଁଛି। ହେଲେ ଆଇଏମଏଫ୍ ଏଥିପାଇଁ ପାକିସ୍ତାନକୁ ପ୍ରଶାସନିକ ଖର୍ଚ୍ଚ କମ କରିବାକୁ ସର୍ତ୍ତ ରଖିଥିଲା। ଶେଷରେ ପାକିସ୍ତାନର ଶେହେବାଜ ସରିଫ ସରକାର ସର୍ତ୍ତରେ ରାଜି ଦେଶରେ ଏଭଳି ବଡ଼ ପରିବର୍ତ୍ତନ କରିଛନ୍ତି। 

ପାକିସ୍ତାନ ସର୍ତ୍ତରେ ରାଜି ହେବା ପରେ ସେପ୍ଟେମ୍ବର ୨୬ ତାରିଖରେ ଆଇଏମଏଫ୍ ସହାୟତା ଦେବାକୁ ରାଜି ହୋଇଥିଲା। ଏବଂ ପ୍ରଥମ କିସ୍ତିରେ ୧ ବିଲିଅନ ଡଲାରରୁ ଅଧିକ ସହାୟତା ରାଶି ଜାରି କରିଥିଲା। ଋଣ ନେବା ପାଇଁ ପାକିସ୍ତାନ ଆଇଏମଏଫ୍ ପାଖରେ ଖର୍ଚ୍ଚ କାଟ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ତା ସହିତ ଜିଡିପି ରେସିଓରେ ଟ୍ୟାକ୍ସ ବଢ଼ାଇବା,ଅଣପାରମ୍ପରିକ ସେକ୍ଟର ଯଥା କୃଷି ଓ ରିୟଲ-ଇଷ୍ଟେଟ୍‌ରେ ଟ୍ୟାକ୍ସ ବଢ଼ାଇବା,ସୀମିତ ସବ୍‌ସିଡି ଦେବା ଓ କିଛି ଆର୍ଥିକ ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ବି ନ୍ୟାସ୍ତ କରିବାକୁ ଆଇଏମଏଫ ପାକିସ୍ତାନକୁ କହିଥିଲା।
 ଆମେରିକାରରୁ ଫେରିବା ପରେ ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ୍ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅନ୍ତର୍ଜାତୀୟ ମୁଦ୍ରାକୋଷ ସହିତ ଡିଲ୍ ଫାଇନାଲ୍ ହୋଇଛି। ଆମକୁ ଆମ ନୀତିରେ ପରିବର୍ତ୍ତନ କରି ଏହା  ପ୍ରମାଣ କରିବାକୁ ହେବ ଯେ ଏହା ଯେମିତି ଆମର ଅନ୍ତିମ ଓ ଶ୍ରେଷ୍ଠ ନୀତି ହେବ। ଜି-୨୦ରେ ସାମିଲ୍ ହେବାକୁ ହେଲେ ଆମ ଅର୍ଥନୀତିକୁ ତଦ୍‌ଉପଯୋଗୀ ବନାଇବାକୁ ପଡ଼ିବ ବୋଲି ଔରଙ୍ଗଜେବ କହିଛନ୍ତି।

ସେହିପରି ଟିକସ ରାଜସ୍ୱର ଅଭିବୃଦ୍ଧି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ଔରଙ୍ଗଜେବ କହିଛନ୍ତି ଯେ ଗତ ବର୍ଷ ପ୍ରାୟ ୩୦୦,୦୦୦ ନୂଆ ଟିକସଦାତା ଯୋଡିଥିଲେ। ଚଳିତ ବର୍ଷ ୭୩୨,୦୦୦ ନୂଆ ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ଫଳରେ ଦେଶର ମୋଟ ଟିକସଦାତାଙ୍କ ସଂଖ୍ୟା ୧.୬ ମିଲିୟନରୁ ୩.୨ ମିଲିୟନକୁ ହୋଇଯାଇଛି ବୋଲି ପାକିସ୍ତାନ ଅର୍ଥମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଟ୍ୟାକ୍ସ ଦେଉ ନଥିବା ବର୍ଗ (ନନ୍ ଫାଇଲର କ୍ୟାଟେଗୋରୀ)କୁ ସମାପ୍ତ କରିଦିଆଯିବ। ଯେଉଁମାନେ ଟିକସ ଦେଉ ନାହାଁନ୍ତି ସେମାନେ ଆଉ ସମ୍ପତ୍ତି କିମ୍ବା ଯାନବାହାନ କ୍ରୟ କରିପାରିବେ ନାହିଁ।

ପାକିସ୍ତାନ ଗତ କିଛି ବର୍ଷ ହେବ ନିଜର ଅର୍ଥନୀତି ସୁଧାରିବାରେ  ବିଫଳ ହୋଇଛି। ୨୦୨୩ରେ ଦେଶ ଦେବାଳିଆ ସ୍ଥିତିକୁ ଚାଲି ଆସିଥିଲା। ହେଲେ ଅନ୍ତର୍ଜାତୀୟ ମୁଦ୍ରା କୋଷ ୩ ବିଲିଅନ ଋଣ ଦେବାରୁ ସ୍ଥିତି ଯାଉ ଯାଉ ରହିଯାଇଥିଲା। 

ପାକିସ୍ତାନ ବର୍ତ୍ତମାନ ବିଶ୍ୱ ସ୍ତରରେ ଜଣେ ଋଣ ଦାତାଙ୍କୁ ଖୋଜୁଛି। ଯିଏ ଋଣ ଦେଇପାରିବ। ଏହି ଋଣରେ ପାକିସ୍ତାନ ଦେଶର ସ୍ଥିତି ସୁଧାରିବାକୁ ଚେଷ୍ଟା କରିବ। ଏହା ତାର ଶେଷ ଋଣ ହେବ ବୋଲି ପ୍ରତିଶ୍ରୁତି ଦେଉଛି। ହେଲେ ପୂର୍ବରୁ ପାକିସ୍ତାନ ଏଭଳି ପ୍ରତିଶ୍ରୁତି ଅନେକ ଦେଇଛି। ହେଲେ ଅର୍ଥନୀତି ସୁଧାରିବାରେ ଫେଲ୍ ମାରିଥିବାରୁ କୌଣସି ଋଣଦାତା ତାଙ୍କୁ ଋଣ ଦେବାକୁ ରାଜି ହେଉ ନାହାନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.