ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ CBI ସମନ, ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ନୋଟିସ୍

Published By : Prameya-News7 Bureau | December 14, 2024 IST

ଭୁବନେଶ୍ବର ୧୪।୧୨: IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସବିଆଇ । ଦିଲ୍ଲୀ ସିବିଆଇରୁ ଆସିଛି ସମନ । ଗତ ୧୦ ତାରିଖରେ CBI ଏହି ସମନ ପଠାଇଥିବା ସୂଚନା ମିଳିଛି । ତେବେ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ସୂଚନା ଆଧାରରେ ତଦନାଘନା କରୁଛି ସିବିଆଇ । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ । ଏହି ପରିପ୍ରେକ୍ଷୀରେ ସିବିଆଇ ତାଙ୍କୁ ସମନ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ର ଜିଜିଏମ୍‌ ଏକ ଠିକା ସଂସ୍ଥାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲା ଏବେ ନୂଆ ମୋଡ଼ ନେଇଛି । ସିବିଆଇ ଘଟଣାର ଖୋଳତାଡ କରିବା ପରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ସୁପରକ୍ଲାସ ଠିକାଦାର ଦେବଦତ୍ତ ମହାପାତ୍ରଙ୍କ ଠିକା ସଂସ୍ଥା ‘ଆଦିତ୍ୟ ଦେବ ଇନଫ୍ରାଟେକ୍ ପ୍ରାଇଭେଟ୍ ଲମିଟେଡ୍‌’ ହାତେଇଥିବା ଟେଣ୍ତରକୁ ନେଇକୁ ଖୋଳତାଡ ଆରମ୍ଭ କରିଥିଲା ସିବିଆଇ । ଏହି ଘଟଣାରେ କିଛି ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ରହିଥିବା ନେଇ ଆରମ୍ଭରୁ ସନ୍ଦେହ କରାଯାଇଥିଲା । ତେବେ ଗତ ୧୦ ତାରିଖରେ ସିବିଆଇ ଶ୍ରୀ ସେଠୀଙ୍କୁ ସମନ କରିବା ସହ ଗତ ୧୧ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ତେବେ ସେ ହାଜର ହୋଇନଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅନ୍ୟପକ୍ଷରେ ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ଶ୍ରୀ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଛି । ଶ୍ରୀ ସେଠୀ ଏବେ ଏକାଧିକ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେଣୁ ସଚିବଙ୍କ ପାଇଁ ଉଦ୍ଦିଷ୍ଟ ଏହିସବୁ ବିଭାଗର ଗାଡ଼ିର ଡ୍ରାଇଭରମାନେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଛି । ମେଲ୍‌ ଯୋଗେ ଏହି ସମନ କରାଯାଇଛି । ଏହାସହ ସେହି ଡ୍ରାଇଭର ମାନଙ୍କର ଠିକଣା ଓ ସବିଶେଷ ବ୍ୟକ୍ତିଗତ ସୂଚନା ଦେବାକୁ ରାଜ୍ୟ ସରକାରଙ୍କୁ ସିବିଆଇ ଚିଠି କରିଛି । ଶ୍ରୀ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । 

ଶ୍ରୀ ସେଠୀଙ୍କୁ ନୋଟିସ୍ ପରେ ଏବେ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟରେ ନୂଆ ସରକାର ଗଠନ ହେଲା ପରେ ପ୍ରଥମ ଥର ସିବିଆଇର ବଡ଼ ଧରଣର ଧରପଗଡ଼ ହେଉଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି । ପୂର୍ବ ସରକାରରେ ଏହି ଠିକା ସଂସ୍ଥା ମଧ୍ୟ ବହୁ କୋଟି ଟଙ୍କାର ପ୍ରକଳ୍ପ ନେଇଥିଲା । ସିବିଆଇ ସେସବୁକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି । ବର୍ତ୍ତମାନ ଶ୍ରୀ ସେଠୀ ଭୁବନେଶ୍ବର ସ୍ଥିତ ନିଜ କ୍ବାର୍ଟରରେ ଥିବା ସୂଚନା ମିଳିଛି । କ୍ୟାପିଟାଲ ଥାନା ପୋଲିସ ମଧ୍ୟ ସେଠାକୁ ଯାଇଥିବା ଯାହା ତଥ୍ୟ ମିଳିଛି । ତେବେ ଘଟଣାରେ ଯଦି ଶ୍ରୀ ସେଠୀଙ୍କର କିଛି ବି ସମ୍ପୃକ୍ତି ପ୍ରମାଣିତ ହୁଏ, ଆଗାମୀ ଦିନରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।


You Can Read:

ଚୋରାରେ ଚାଲିଥିଲା କାରବାର, ପୋଲିସ ଚଢାଉରେ ବିପୁଳ ପରିମାଣର ଦେଶୀ ମଦ ଜବତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.