ବଲିଉଡ ଫିଲ୍ମ ‘ଡନ୍’ର ନିର୍ଦ୍ଦେଶକ ଚନ୍ଦ୍ରା ବାରୋଟଙ୍କ ପରଲୋକ,୮୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | July 20, 2025 IST

ମୁମ୍ବାଇ ୨୦।୭: ଅମିତାଭ ବଚ୍ଚନ ଅଭିନୀତ ୧୯୭୮ର କ୍ଲାସିକ୍ ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ତଥା ଦିଗ୍ଗଜ ଫିଲ୍ମ ନିର୍ମାତା ଚନ୍ଦ୍ରା ବାରୋଟଙ୍କ ରବିବାର ପରଲୋକ ହୋଇଛି। ୮୬ ବର୍ଷ ବୟଷ୍କ ବାରୋଟ ବାନ୍ଦ୍ରାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଦୀପା ବାରୋଟ ‘ଟାଇମ୍ସ ଅଫ ଇଣ୍ଡିଆ’କୁ ଚନ୍ଦ୍ରା ବାରୋଟଙ୍କ ପରୋଲକ ପୁଷ୍ଟି କରି କହିଛନ୍ତି ଯେ ସେ ଗତ ୭ ବର୍ଷ ହେଲା ପଲ୍ମୋନରୀ ଫାଇବ୍ରୋସିସ୍ ରେ ଆକ୍ରାନ୍ତ ଥିଲେ। 

ବାନ୍ଦ୍ରାର ଗୁରୁ ନାନକ ହସ୍ପିଟାଲରେ ଡା. ମନିଷ ସେଟ୍ଟୀଙ୍କ ଗାଇଡାନ୍ସରେ ବାରୋଟଙ୍କ ଚିକିତ୍ସା ଚାଲିଥିଲା। ଏହା ପୂର୍ବରୁ ତାଙ୍କୁ ଯଶଲୋକ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ ଡାୟରେକ୍ଟର ପାଖାପାଖି ୮୬ ବର୍ଷ ବୟଷ୍କ ଥିଲେ ଓ ଫୁସଫୁସରେ କିଛି ସମସ୍ୟା ଯୋଗୁ ୬-୭ ବର୍ଷ ହେଲା ଅସୁସ୍ଥ ଥିଲେ। ତାଙ୍କ ପରୋଲକ ଖବର ପ୍ରସାରିତ ହେବା ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହର ଖେଳି ଯାଇଛି। 

ଫିଲ୍ମମେକର ଫରହାନ ଅଖତାର ଯିଏ ବାରୋଟଙ୍କ ଫିଲ୍ମ ‘ଡନ’କୁ ୨୦୦୬ ମସିହାରେ ଦ୍ୱିତୀୟବାର ନିର୍ମାଣ କରିଥିଲେ ଓ ଏବେ ଏହାକୁ ଏକ ଫ୍ରାଞ୍ଚାଇଜୀ ରୂପେ ଛିଡା କରିଛନ୍ତି ସେ ମଧ୍ୟ ତାଙ୍କ ବିୟୋଗରେ ଶୋକାଭିଭୁତ ହୋଇପଡିଛନ୍ତି। ଫରହାନ ଇଂଷ୍ଟାଗ୍ରାମରେ ଚନ୍ଦ୍ରା ବାରୋଟଙ୍କୁ ମନେ ପକାଇ ଲେଖିଛନ୍ତି ‘ଏହା ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଯେ ଓରିଜିନାଲ ‘ଡନ’ର ଡାୟରେକ୍ଟର ଏବେ ଆମ ଗହଣରେ ଆଉ ନାହାନ୍ତି, ତାଙ୍କ ପରିବାର ପ୍ରତି ହୃଦୟରୁ ମୋର ସମବେଦନା ଜଣାଉଛି’। 

୧୯୭୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଡନ’ର ସଂଳାପ ଅମିତାଭ ବଚ୍ଚନଙ୍କୁ ପର୍ଦ୍ଦାରେ ସୁପରହିଟ୍ କରିଥିଲା। ଦୀର୍ଘ ବର୍ଷ ପରେ ବି ଲୋକେ ଏହି ଫିଲ୍ମର ଡାୟଲଗ ଓ ଗୀତକୁ ମନେ ପକାଉଛନ୍ତି। ‘ଡନ’ ହିନ୍ଦୀ ସିନେମାର କ୍ଲାସିକ୍ ଓ କଲ୍ଟ ଫିଲ୍ମ ମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାକୁ ପ୍ରାରମ୍ଭରେ ଦର୍ଶକ ଆଦୌ ପସନ୍ଦ କରିନଥିଲେ ହେଲେ ଯେବେ ପସନ୍ଦ କଲେ ଏପରି ଆୟ କରିଥିଲା ଯାହା ଅନେକ ରେକର୍ଡ ଭାଙ୍ଗି ଦେଇଥିଲା। 

ଚନ୍ଦ୍ରା ବାରୋଟ ‘ଡନ’ର ନିର୍ଦ୍ଦେଶନା ଦେବା ପୂର୍ବରୁ ମନୋଜ କୁମାରଙ୍କ ଫିଲ୍ମ ‘ପୂରବ ଔର ପଶ୍ଚିମ’, ‘ଶୋର’ ଓ  ‘ରୋଟି କପଡା ଔର ମକାନ’ରେ ସହାୟକନିର୍ଦ୍ଦେଶକ ରୂପେ କାମ କରିଥିଲେ। ତେବେ ବହୁତ କମ ଲୋକେ ଜାଣନ୍ତି ଚନ୍ଦ୍ରା ବରୋଟ ତାଙ୍କ ଫିଲ୍ମ କ୍ୟାରିୟରର ଗୁରୁ ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ ମନୋଜ କୁମାରଙ୍କୁ ମାନନ୍ତି। ମନୋଜ କୁମାରଙ୍କ ଫିଲ୍ମ ‘ରୋଟି କପଡା ଔର ମକାନ’ର ସୁଟିଂ ସେଟ୍ ରେ ହିଁ ‘ଡନ’ର ପରିକଳ୍ପନା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.