ଭୁବନେଶ୍ବର: ଚାଷୀଙ୍କୁ ନୂଆଖାଇ ଭେଟି। କୃଷିଭିତ୍ତିକ ଗଣପର୍ବ ନୂଆଖାଇରେ ରାଜ୍ୟ ସରକାର ଦେଲେ ଭେଟି। ଆରମ୍ଭ ହେଲା ସିଏମ କିଷାନ ଯୋଜନା। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ ହଜାର ଟଙ୍କା। ରବିବାର ସମ୍ବଲପୁରର ଗଙ୍ଗାଧର ବିଶ୍ବବିଦ୍ୟାଳୟ ଅଡିଟୋରିଅମରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ସିଏମ କିଷାନ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ ଓ କୃଷକ ଓଡ଼ିଶା ୟୁନିଫାଏଡ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି। ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଥିବା ବେଳେ ରବିବାର ଆସିଛି ପ୍ରଥମ କିସ୍ତି । ଏଥିସହ ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨ ହଜାର ୫ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଉଭୟ ସିଏମ କିଷାନ ଓ ପିଏମ କିଷାନ ପାଇଁ ନାମ ପଞ୍ଜୀକରଣ ଜାରି ରହିବ। ଯେଉଁ ଚାଷୀମାନେ ରହିଯାଇଛନ୍ତି ସେମାନଙ୍କୁ ୨ ମାସ ଭିତରେ ପଞ୍ଜୀକୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନା ଦ୍ବାରା ରାଜ୍ୟର ୪୫ଲକ୍ଷ ୭୬ହଜାର ୫୨୪ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ଲକ୍ଷ ୧୨ହଜାର ୧୨୨ଜଣ ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏଥି ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨ହଜାର ୫୦୦ଟଙ୍କା ମିଳିବ । ଖରିଫ୍ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ DBT ମାଧ୍ୟମରେ ବର୍ଷକୁ ୨ଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ପ୍ରଥମ କିସ୍ତି ଟଙ୍କା ମିଳିବା ପରେ ଚାଷୀ ମୁହଁରେ ହସି ଫୁଟିଛି।
ସିଏମ କିଷାନ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସହ ବିଧାୟକ ଅଗସ୍ତି ବେହେରା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫେରେନ୍ସିଂ ଜରିଆରେ ୩୦ ଟି ଜିଲ୍ଲାର ଲୋକ ଯୋଡ଼ି ହୋଇଥିଲେ। ଏହି କ୍ରମରେ ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଝାରସୁଗୁଡାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସାମିଲ ହୋଇଥିଲେ।
ସିଏମ କିଷାନକୁ ନେଇ ଚାଷୀଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହାର ଉତ୍ତର ଦେଉଛି ସିଏମ କିଷାନ ପୋର୍ଟାଲ । ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର ୧୫୫୩୩୩ ଜାରି କରାଯାଇଛି ।
You Can Read:
ଡେରାବିଶରେ ବାର୍ଡ ଫ୍ଲୁ : ଫାର୍ମରେ ଥିବା ଜୀବନ୍ତ ଓ ମୃତ କୁକୁଡାକୁ ଗାତ ଖୋଳି ପୋତିଲା ଜିଲ୍ଲା ପ୍ରଶାସନ