ବିରଳ ଘଟଣା, ମହିଳାଙ୍କର ଦୁଇଟି ଗର୍ଭାଶୟରୁ ଜନ୍ମ ଯମଜ ସନ୍ତାନ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ  29/09 : ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟ କଲାଭଳି ସଫଳତା। ଚୀନ୍‌ର ଜଣେ ମହିଳା ନିଜର ଦୁଇଟି ଗର୍ଭାଶୟରୁ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି । ଲି ନାମ୍ନୀ ଏହି ମହିଳାଙ୍କଠାରେ ଏକ ବିରଳ ସ୍ଥିତି ଚିହ୍ନଟ ହୋଇଥିଲା, ଯାହା ବିଶ୍ୱର ମାତ୍ର ୦.୩ ପ୍ରତିଶତ ମହିଳାଙ୍କୁ ପ୍ରଭାବିତ କରେ । ଲିଙ୍କର ଏହି ସ୍ଥିତିକୁ ‘ୟୁଟରସ୍‌ ଡିଡେଲଫିସ୍‌’ କୁହାଯାଏ । ଏହାର ଅର୍ଥ ତାଙ୍କର ପୂର୍ଣ୍ଣ ବିକଶିତ ଗର୍ଭଶାୟ ଥିଲା ଏବଂ ପ୍ରତ୍ୟେକ ନିଜସ୍ୱ ଓଭାରି ଓ ଓଭିଡକ୍ଟସ୍‌ ସହିତ ପରିପୂର୍ଣ୍ଣ ଥିଲା । ଏହା ଏକ ଅସାଧାରଣ ସ୍ଥିତି ହୋଇଥିବାବେଳେ ଲିଙ୍କ ମାମଲାରେ ଆହୁରି ଅନନ୍ୟ ହୋଇଛି । କାରଣ ପ୍ରାକୃତିକ ଉପାୟରେ ଲି ଗର୍ଭଧାରଣ କରିଥିଲେ । 


ତାଙ୍କର ଦୁଇଟିଯାକ ଗର୍ଭାଶୟରୁ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଲି ସାଢ଼େ ୮ମାସର ଗର୍ଭବତୀ ଥିବାବେଳେ ସ୍ଥାନୀୟ ଏକ ହସ୍‌ପିଟାଲରେ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହସ୍‌ପିଟାଲର ବରିଷ୍ଠ ପ୍ରସୂତି ବିଶେଷଜ୍ଞ କାଇ ୟିଙ୍ଗ୍‌ ଏହାକୁ ୧୦ଲକ୍ଷରେ ଗୋଟିଏ ଘଟଣା ବୋଲି କହିଛନ୍ତି । 

ପ୍ରାକୃତିକ ଗର୍ଭଧାରଣ ଜରିଆରେ ଦୁଇଟି ଗର୍ଭାଶୟରେ ଗର୍ଭଧାରଣ କରିବା ଅତ୍ୟନ୍ତ ବିରଳ ଘଟଣା । ଚୀନ୍‌ ଓ ବିଦେଶରେ ଏ ପ୍ରକାର ଦୁଇଟି ମାମଲା ବିଷୟରେ ସେମାନେ କେବଳ ଶୁଣିଥିଲେ । କିନ୍ତୁ ପ୍ରଥମ ଥର ଆଖିରେ ଦେଖିଲେ ବୋଲି ସେ କହିଛନ୍ତି । ଏହି ବିରଳ ସ୍ଥିତିରେ ମହିଳା ଗର୍ଭାବସ୍ଥାରେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଏ ମାମଲାରେ ଗର୍ଭପାତ, ଅପରିପକ୍ୱ ଶିଶୁ ଜନ୍ମ ଏବଂ ପ୍ରସବ ପରବର୍ତ୍ତୀ ଜଟିଳତାର ଆଶଙ୍କା ବହୁତ ଅଧିକ । କୌଣସି କାରଣରୁ ଲି ପୂର୍ବରୁ ଗର୍ଭପାତର ସମ୍ମୁଖୀନ ହୋଇଥିଲେ । ଗତ ଜାନୁଆରୀରେ ସେ ପୁଣି ଥରେ ଗର୍ଭଧାରଣ କରିଥିଲେ । ଏ ଥର ନିଜର ଓ ଶିଶୁଙ୍କର ଖାସ୍‌ ଧ୍ୟାନ ରଖିବାକୁ ସେ ନିୟମିତ ଡାକ୍ତରଙ୍କ ପରାମର୍ଶ ନେଉଥିଲେ । ସି-ସେକ୍ସନ୍‌ ଜରିଆରେ ସେ ସୁସ୍ଥ ଯମଜଙ୍କୁ ଜନ୍ମ ଦେଲେ । ଜନ୍ମବେଳେ ପୁଅର ଓଜନ ୩.୩ କିଲୋ ଓ ଝିଅର ୨.୪ କିଲୋ ଥିଲା ।

Also Read-  ନେପାଳରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ସଙ୍ଗୀନ ; ଏବେ ଯାଏଁ ଗଲାଣି ୧୧୨ ଜୀବନ, ୬୮ ନିଖୋଜ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.