ନୂଆଦିଲ୍ଲୀ: ଆଜରବୈଜାନର ରାଜଧାନୀ ବାକୁରେ ଚାଲିଥିବା କପ୍-୨୯ ସମ୍ମିଳନୀରେ ବି ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଆବଶ୍ୟକ ଅର୍ଥରାଶି ଉପରେ ସହମିତ ହୋଇପାରି ନାହିଁ । ବିକାଶଶୀଳ ରାଷ୍ଟ୍ର ଅଙ୍ଗାରକାମ୍ଲ ନିର୍ଗମନ କମ କରିବା ପାଇଁ ବିକଶିତ ରାଷ୍ଟ୍ରଙ୍କଠାରୁ ଆର୍ଥିକ ସହଯୋଗ ଜିଦ୍ରେ ଅଟଳ ଅଛନ୍ତି । ଅନ୍ୟପଟେ ବିକଶିତ ଦେଶଙ୍କ କହିବା ଅନୁଯାୟୀ ଧନୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆର୍ଥିକ ସହଯୋଗରେ ଯୋଗଦାନ କରିବା ଦରକାର ।
ବିକାଶଶୀଳ ରାଷ୍ଟ୍ରଙ୍କ କହିବା ଅନୁସାରେ ଯେପର୍ଯ୍ୟନ୍ତ ବିକଶିକ ଦେଶ ଆର୍ଥିକ ସହଯୋଗ ଉପରେ କୌଣସି ନିଷ୍ପତ୍ତି ନନିଅନ୍ତି, ସେପର୍ଯ୍ୟନ୍ତ କୌଣସି ସାର୍ଥକ ଆଲୋଚନା ସମ୍ଭବ ନୁହେଁ । ଏହି କାରଣରୁ ବାକୁରେ ଚାଲିଥିବା ଜଳବାୟୁ ସମ୍ମିଳନୀରେ କୌଣସି ସହମତି ପ୍ରକାଶ ପାଇପାରୁ ନାହିଁ । ଜାତିସଂଘ ଜଳବାୟୁ ମାମଲାର ପ୍ରମୁଖ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଦୁନିଆର ସବୁ ଦେଶ ରାଜି ନହୁଅନ୍ତି ତେବେ ଆଲୋଚନା ବିପରୀତ ଦିଗରେ ଯାଇପାରେ ।
କ୍ଲାଇମେଟ୍ ଫାଇନାନ୍ସ କଣ ?
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକାଶଶୀଳ ରାଷ୍ଟ୍ରଙ୍କ ଦ୍ୱାରା ଦାବି କରାଯାଉଥିବା ଅନ୍ତରାଷ୍ଟ୍ରୀୟ ବିତ୍ତୀୟ ସହଯୋଗକୁ ଜଳବାୟୁ ଅର୍ଥରାଶି କୁହାଯାଉଛି । ବିକାଶଶୀଳ ରାଷ୍ଟ୍ରଙ୍କ କହିବା ଅନୁସାରେ ଯଦି ନିର୍ଗମନ କମ କରିବାର ଅଛି ତେବେ ଏଥିପାଇଁ ବିକଳ୍ପ ସଂସାଧନର ଆବଶ୍ୟକତା ରହିବ, ଯେଉଁଥି ପାଇଁ ଆର୍ଥିକ ସହଯୋଗ ମିଳିବା ଦରକାର । ଫଳରେ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲସିୟସରୁ କମରେ ସୀମିତ କରାଯାଇପାରିବ ।
ଏହି ବିତ୍ତୀୟ ସହଯୋଗ ବିକାଶିତ ଦେଶ ପ୍ରଦାନ କରିବା ଦରକାର ବୋଲି ଦାବି କରାଯାଉଛି । ଶିଳ୍ପାୟନର ସବୁଠୁ ଅଧିକ ଲାଭ ବିକଶିତ ଦେଶ ଉଠାଇଛନ୍ତି, ଯେଉଁଥି ପାଇଁ ଜଳବାୟୁ ପରିବର୍ତ୍ତନର ସମସ୍ୟା ହୋଇଛି । କିନ୍ତୁ ଆଜି ଯେତେବେଳେ ବିକାଶଶୀଳ ରାଷ୍ଟ୍ରଙ୍କୁ ବିକଶିତ ହେବା ପାଇଁ ଶିଳ୍ପାୟନର ଆବଶ୍ୟକତା ରହିଛି, ସେତେବେଳେ ଆଙ୍ଗାରକାମ୍ଲ ନିର୍ଗମନ ହ୍ରାସ କରିବା ପାଇଁ କୁହାଯାଉଛି । ଏହି କାରଣରୁ ବିକାଶଶୀଳ ରାଷ୍ଟ୍ରୀଙ୍କୁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ରହିଛି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବାର୍ଷିକ ୧.୩ ଟ୍ରିଲିୟନ ଡଲାର ଆବଶ୍ୟକ ରହିଛି ।