ଦିଲ୍ଲୀରୁ ବିହାର ଘୁରି ବୁଲୁଛି ମୃତ୍ୟୁ ଦୂତ, ଚିନ୍ତାରେ ସରକାର, ତଥାପି ରୋକି ପାରୁ ନାହାନ୍ତି..କିଏ ସେ?

NEWS7
cm-will-watch-barabati-celebrity-cricket-match

ନୂଆଦିଲ୍ଲୀ ୧୨।୧: ଉତ୍ତର ଭାରତରେ ପଡିଥିବା ଭୀଷଣ ଥଣ୍ଡାରେ ଏବେ ଦେଶୀ ହିଟର ସାଇଲେଣ୍ଟ କିଲର ପାଲଟିଛି। ଏଥିରେ ଦିଲ୍ଲୀ, ପଞ୍ଜାବ ଓ ବିହାରରୁ ସଦ୍ୟତମ ଘଟଣା ସବୁ ସାମ୍ନାକୁ ଆସିଛି। ଏହା ଛଡା ଗତ ମାସରେ ଜମ୍ମୁ-କାଶ୍ମୀର ସମେତ ଅନ୍ୟ ସ୍ଥାନରେ ମଧ୍ୟ କେତେକ ମୃତ୍ୟୁ ଘଟଣା ଘଟିଥିଲା। ପଞ୍ଜାବ ତରନତାରନରେ ଏକ ଯୁବ ଦମ୍ପତ୍ତି ଓ ସେମାନଙ୍କ ଏକ ମାସର ଶିଶୁ ପୁତ୍ର ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଥିବା ପୋଲିସ କହିଛି।

ସେମାନେ ରହୁଥିବା କୋଠରୀର ସବୁ ଦ୍ୱାର ଓ ଝରକା ବନ୍ଦ ଥିଲା ଏବଂ ଘର ଭିତର ଉଷୁମ ରଖିବା ପାଇଁ ଏକ ଚୁଲି ଜଳୁଥିଲା। ତେବେ କେବଳ କୋଇଲାରେ ଜଳୁଥିବା ଦେଶୀ ହିଟର ନୁହେଁ ଭୀଷଣ ଥଣ୍ଡାରୁ ବଞ୍ଚିବା ପାଇଁ ଲୋକେ ବିଜୁଳିରେ ଚାଲୁଥିବା ହିଟର ଓ ଅନ୍ୟ ହିଟିଂ ଉପକରଣ ବ୍ୟବହାର କରୁଛନ୍ତି। ଫଳରେ କାର୍ବନ ମନୋକ୍ସାଇଡ ବିଶାକ୍ତତା ଏବଂ ହିଟରରୁ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେବେ ଦିଲ୍ଲୀର ଉଚ୍ଚ ଅଟ୍ଟାଳିକାରୁ ଆରମ୍ଭ କରି କାଶ୍ମୀର ଘାଟି ଓ ବିହାରର ଗାଁ ପର୍ଯ୍ୟନ୍ତ ଶୀତରୁ ରକ୍ଷା ପାଇବା ପାଇଁ ହିଟର ଓ ପାରମ୍ପରିକ ଚୁଲିର ଅନୁଚିତ ବ୍ୟବହାର ଯୋଗୁ ପୁରା ପରିବାର ମୃତ୍ୟୁ ମୁଖକୁ ଚାଲି ଯାଉଥିବା ଦେଖା ଯାଉଛି।

ଗତ ସପ୍ତାହମାନଙ୍କରେ ହିଟର ସମ୍ପର୍କିତ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବଢି ଯାଇଛି। ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଗତ ମଙ୍ଗଳବାର ଏକ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀ ମୋଟ୍ରୋ ରେଲ ନିଗମ(ଡିଏମଆରସି) ଇଞ୍ଜିନିୟର ଅଜୟ ବିମଲ (୪୫) ତାଙ୍କ ପତ୍ନୀ ନିଲମ(୩୮) ଓ ତାଙ୍କ ୧୦ ବର୍ଷର ଝିଅ ଜାହ୍ନବୀଙ୍କ ମୃତ୍ୟୁ ହୋଇଛି। ତେବେ ପୋଲିସ ସନ୍ଦହ କରୁଛି ଘରେ ଲାଗିଥିବା ହିଟରରେ ବିସ୍ଫୋରଣ କିମ୍ବା ସର୍ଟ ସର୍କିଟ ହୋଇଥାଇପାରେ। ନିଆଁ ଲାଗିବାରୁ ଘରେ ଧୂଆଁ ଭରି ଯିବାରୁ ପରିବାର ଲୋକେ ମୃତ୍ୟୁ ପୂର୍ବରୁ ବେହୋସ ହୋଇଯାଇଥାଇ ପାରନ୍ତି।

ପଡୋଶୀଙ୍କ ଅନୁସାରେ ପୀଡ଼ିତଙ୍କୁ ବିଛଣାରେ ମୃତାବସ୍ଥାରେ ଦେଖାଯାଇଛି। ସେହିପରି ବିହାରର ଗୟାଜୀରେ ମୀନା ଦେବୀ (୬୦) ଓ ତାଙ୍କର ଦୁଇ ନାତି,ନାତୁଣି ଯେଉଁମାନଙ୍କ ବୟସ ୬ ଓ ୫ ବର୍ଷ ଥିଲା ଘରେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନେ ଘରେ ଚୁଲି ଜଳାଇ ଦ୍ୱାର ଓ ଝରକା ବନ୍ଦ କରି ଶୋଇଥିଲେ। ସେହିପରି ଶ୍ରୀନଗରରେ ଏଜାଜ ଅହମଦ ଭଟ୍ଟ (୩୭) ତାଙ୍କ ପତ୍ନୀ ଓ ୩ ପିଲା ଯେଉଁମାନଙ୍କ ମଧ୍ୟରେ ଏକ ୨୮ ଦିନର ଶିଶୁ ମଧ୍ୟ ଥିଲା ଶ୍ୱାସ ଋଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ଘଟଣାର ତଦନ୍ତ କାଳରେ ଅଧିକାରୀଙ୍କୁ ଘର ଭିତରୁ ଗୋଟିଏ ଇଲେକ୍ଟ୍ରିକ ବ୍ଲୋଅର ମିଳିଛି। ଏଣୁ ସେମାନେ ଶ୍ୱାସ ଋଦ୍ଧ ହୋଇ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ଘରେ ଦ୍ୱାର ଓ ଝରକା ବନ୍ଦ କରି ଚୁଲି ଓ ହିଟର ଆଦି ଜଳାଇବା ଯୋଗୁ ହେଉଥିବା ମୃତ୍ୟୁର କାରଣ କାର୍ବନ ମନୋକ୍ସାଇଡ (ସିଓ) ବୋଲି ଡାକ୍ତରମାନେ କହିଛନ୍ତି। ଏହି ଗ୍ୟାସ୍ ଗନ୍ଧହୀନ, ରଙ୍ଗ ହୀନ ଓ ସ୍ୱାଦ ହୀନ। ତେଣୁ ଏହା ସେ ପର୍ଯ୍ୟନ୍ତ ଜଣାପଡେନି ଯେ ପର୍ଯ୍ୟନ୍ତ ବିଳମ୍ବ ନ ହୋଇଛି। ସେହିପରି ଶ୍ରୀନଗର ଚେଷ୍ଟ ଡିଜିଜ ହସ୍ପିଟାଲ ମୁଖ୍ୟ ଡ.ନଭୀଦ ନଜିର ଶାହ ଗଣମାଧ୍ୟମକୁ କହିଛନ୍ତି ଯେ କାଠ ଓ କୋଇଲାରେ ଜଳୁଥିବା ହିଟିଂ ଉପକରଣ ଋଦ୍ଧ କୋଠରୀର ଅକ୍ସିଜେନ ଭିଡିନିଏ ଏଣୁ କୋଠରୀରେ କାର୍ବନ ଡାଇଅକ୍ସାଇଡ ଓ ସିଓ ଭଳି ବିଷାକ୍ତ ଗ୍ୟାସ୍ ଭରି ଯାଏ।

ତେବେ ପୀଡି଼ତ ବିପଦରେ ଥିବା ଜାଣି ପାରେନି। ହେଲେ ବେହୋସ ହେବା ପୂର୍ବରୁ ମୁଣ୍ଡ ବୁଲେଇବା, ମୁଣ୍ଡ ବ୍ୟଥା ଓ ଥକ୍କା ଲାଗିବା ଭଳି ଲକ୍ଷଣ ଅନୁଭ କରିଥାଇ ପାରନ୍ତି। ରାଜେଶ କୁମାର ଓ ଏମସ୍ ନୂଆଦିଲ୍ଲୀର ଗବେଷକମାନେ ୧୫ ବର୍ଷ ପୂର୍ବର ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କାର୍ବନ ଡାଇଅକ୍ସାଇଡ ଯୋଗୁ ହେଉଥିବା ୯୫% ମୃତ୍ୟୁ କେବଳ ଶୀତ ଋତୁରେ ହୋଇଛି। ଏଥିରେ ଉପଯୁକ୍ତ ବାୟୁ ଚଳାଚଳ କରୁନଥିବା ସ୍ଥାନରେ କୋଇଲା ଜଳା ପାତ୍ର ଏହାର ପ୍ରାଥମିକ କାରଣ ବୋଲି ଜଣାପଡିଥିଲା।