ରାଜ୍ୟରୁ ଏବେ ଶୀତ ଗାଏବ, ୯ରୁ ବଢିପାରେ ଥଣ୍ଡା

Published By : Prameya-News7 Bureau | December 07, 2024 IST

ଭୁବନେଶ୍ୱର ୦୭।୧୨ : ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି ।  ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫  ଡିଗ୍ରୀ ଉପରେ ରହୁଛି । ରାତିରେ ଶୀତ ବଦଳରେ ଗରମ ଅନୁଭୂତ ହେଉଛି ।  ଦିନବେଳା ତାତି ୩୦ ଡିଗ୍ରୀ ଉପରେ ରହୁଛି ପାରଦ। ଶନିବାରଠାରୁ ରାତି ତାପମାତ୍ରା  ୨ରୁ ୪ ଡିଗ୍ରୀ ଖସିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ତେବେ ୯ ତାରିଖରୁ ପାରଦ ଖସିବ ଓ ଥଣ୍ଡା ବଢ଼ିବ ବୋଲି ପାଣିପାଗ   ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୪   ତାରିଖରେ ବଙ୍ଗୋପସାଗରରେ ଆଉ  ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । 

ଡ. ପଶୁପାଳକ ଆକଳନ କରି  କହିଛନ୍ତି, ଦକ୍ଷିଣ ଆଭ୍ୟନ୍ତରରେ ୯ ତାରିଖରୁ ରାତି ତାପମାତ୍ରା କମିବ। ୧୦ ତାରିଖରୁ  ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ଖସିବ। ଶୁକ୍ରବାର ଓ ଶନିବାର  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଦକ୍ଷିଣ  ଆଭ୍ୟନ୍ତରରେ ୮ ତାରିଖରେ ସ୍ୱଳ୍ପ କୁହୁଡ଼ି  ଦେଖାଯିବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୭ରୁ ୯ ତାରିଖ ମେଘୁଆ  ପାଗ ରହିବ। ୯ରେ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବ। ୭ରୁ ଦକ୍ଷିଣ ପୂର୍ବ  ଆଭ୍ୟନ୍ତରରେ, ୮ରୁ ୯ ଯାଏ ଦକ୍ଷିଣ ପଶ୍ଚିମ ଆଭ୍ୟନ୍ତରରେ ଓ ୯ରୁ ୧୦ ଯାଏ ପଶ୍ଚିମ  ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ରହିପାରେ। 

ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ । ୧୨ ତାରିଖରେ ଏହା  ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ  ମୁହାଁଇପାରେ ବୋଲି ସେ କହିଛନ୍ତି । 

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ୱେଷ୍ଟର୍ଣ୍ଣ ଡିର୍ଷ୍ଟବାନ୍ସେସ୍‌  ବା ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଏବେ ରାତି   ତାପମାତ୍ରା ଅଧିକ ରହୁଛି । ଉତ୍ତର ପଶ୍ଚିମ ଭାରତରୁ  ଏହି ବାୟୁ ପ୍ରବାହିତ ହେଉଛି । ଏହି ବାୟୁପ୍ରବାହ  ହେବା ଆଗରୁ ଶୀତ କମିଯାଏ । ପୁଣି ବାୟୁମଣ୍ଡଳ  ଉପରେ ଏକ ଟ୍ରଫ୍‌ ରହିଛି । ଏହା ପଶ୍ଚିମରୁ ପୂର୍ବ  ଦିଗକୁ ଗତି କରୁଛି । ଏହି ସମସ୍ତ ପ୍ରଭାବ ଯୋଗୁ  ରାଜ୍ୟରୁ ଶୀତ କମିଛି ବୋଲି ସେ କହିଛନ୍ତି । ପଶ୍ଚିମା ବାୟୁ ପ୍ରଭାବରେ ୭ ଓ ୮ ତାରିଖରେ   ରାଜ୍ୟର କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

୭ ତାରିଖରେ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ବର୍ଷା ହୋଇପାରେ । ୮ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ସେହିଭଳି ୯ ତାରିଖରୁ ଥଣ୍ଡା ବଢ଼ିବ। ୧୦ ଓ ୧୧ ତାରିଖରେ ଅଧିକ ଶୀତ ଅନୁଭୂତ ହେବ ବୋଲି ସେ କହିଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ୭ ତାରିଖରେ ଜଗତ୍‌ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା,  ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ  ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୮ ତାରିଖରେ ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗୀରରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୯ ତାରିଖରେ ଗଞ୍ଜାମ, ଗଜପତି, କଟକ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.