ହାଇଦ୍ରାବାଦ ୧୯।୭: ତେଲଗୁ ସିନେମାର ପ୍ରସିଦ୍ଧ ହାସ୍ୟାଭିନେତା ତଥା ଅଭିନେତା ଫିସ୍ ଭେଙ୍କଟଙ୍କ ପରଲୋକ ହୋଇଛି। ତାଙ୍କ ଝିଅ ଶ୍ରାବନ୍ତୀ ଏହି ସୂଚନା ଦେଇଛନ୍ତି। ୫୩ ବର୍ଷ ବୟଷ୍କ ଅଭିନେତା ଗୁରୁତର ଅସୁସ୍ଥ ଥିଲେ ଓ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ପାଲଟିଥିଲା। ଆର୍ଥିକ ଅଭାବ କାରଣରୁ ସେ ସମୟରେ ଡାୟଲସିସ୍ ନ କରାଇ ପାରିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା।
କୁହାଯାଉଛି ଡାକ୍ତର ତାଙ୍କ ଜୀବନ ବଞ୍ଚାଇବା ପାଇଁ କିଡନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ପରାମର୍ଶ ଦେଇଥିଲେ। ତାଙ୍କର ଉଭୟ କିଡନୀ ଖରାପ ହୋଇଯାଇଥିଲା। ତେବେ ସମୟରେ ଡୋନର ନ ମିଳିପାରିବା କାରଣରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିନଥିଲା। ଫିସ ଭେଙ୍କଟଙ୍କ ପରଲୋକ ଖବର ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହର ଖେଳାଇ ଦେଇଛି। ତାଙ୍କ ବନ୍ଧୁ ଓ ସେଲିବ୍ରିଟିମାନେ ଏବେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଫିସ୍ ଭେଙ୍କଟ ୨୦୦୧ ମସିହାରେ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସେ ତେଲଗୁ ଫିଲ୍ମ ‘ଖୁସି’ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ଗବର ସିଂହ’, ‘ବନି’, ‘ମୀରାପାକାୟ’,’ଆଦି’, ‘ଅଧୁର୍ସ’, ‘ଧି’ ଓ ‘ସୁପରଷ୍ଟାର କିଡନାପ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। କମେଡି ଓ ନେଗେଟିଭ ଭୂମିକାରେ ଲୋକେ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ।