ଜାତୀୟ ଟିଭି ଓ ବଲିଉଡ ଫିଲ୍ମର ହାସ୍ୟରସ କଳାକାର ଅତୁଲ ପରଚୁରେଙ୍କ ପରଲୋକ

Published By : Prameya-News7 Bureau | October 14, 2024 IST

ମୁମ୍ବାଇ ୧୪।୧୦: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସୁଛି। ଦିଗ୍ଗଜ ଅଭିନେତା ତଥା କମେଡିଆନ ଅତୁଲ ପରଚୁରେଙ୍କ ସୋମବାର ପରଲୋକ ହୋଇଛି। ସେ ୫୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମରାଠୀ ସହିତ ହିନ୍ଦୀ ଫିଲ୍ମ ଓ ଟିଭି ସିରିୟଲରେ ଅଭିନୟ କରିଥିବା ଅତୁଲ ଦୀର୍ଘ ସମୟ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ତେବେ କର୍କଟ ରୋଗ ଉପରେ କାବୁ ପାଇବା ପରେ ସେ ପୁଣି ଅଭିନୟ ଜଗତକୁ ଫେରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ଲଗାତାର ଖରାପ ହେବାରେ ଲାଗିଥିଲା। 

ସେ କ୍ୟାନସର ପରେ ହେଉଥିବା ଶାରୀରିକ ସମସ୍ୟା ଓ ଦୁର୍ବଳତା ଭୋଗୁଥିଲେ। ଯାହା ଜଣାପଡୁଛି ସେ ପୁଣି ଥରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅତୁଲ ତାଙ୍କ ପଛରେ ମା, ପତ୍ନୀ ଓ ଝିଅଙ୍କୁ ଛାଡି ଯାଇଛନ୍ତି। ତାଙ୍କର ଏପରି ଅଚାନକ ବିୟୋଗରେ ପରିବାର ଭାଙ୍ଗିପଡିଥିବା ବେଳେ ଫ୍ୟାନସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅତୁଲ ଏପରି ଅସମୟରେ ଦୁନିଆ ଛାଡିବା ମରାଠୀ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଓ ଟେଲିଭିଜନ ଦୁନିଆକୁ ଗଭୀର ଝଟକା ଲାଗିଛି। 

ସେ କପିଲ ଶର୍ମାଙ୍କ ସହିତ କମେଡି ନାଇଟସ୍ ସୋରେ ତାଙ୍କ କମେଡି ମଧ୍ୟ କରିଛନ୍ତି। ଏହା ଛଡା ସେ କମେଡି ସର୍କସ, ୟମ ହେ ହମ, ଆର.କେ.ଲକ୍ଷ୍ମଣ କେ ଦୁନିଆ ଭଳି ଅନେକ ହିଟ୍ ସିରିୟଲରେ ମଧ୍ୟ ସେ ଅଭିନୟ କରିଛନ୍ତି। ଅଭିନେତା ନିକଟରେ ତାଙ୍କର ନୂଆ ଥିଏଟର ପ୍ଲେ ‘ସୂର୍ୟାଚୀ ପିଲ୍ଲଇ’ର ଘୋଷଣା କରିଥିଲେ। ଅତୁଲ ହିନ୍ଦୀ ସିନେମାରେ ମଧ୍ୟ ଅନେକ ଭୂମିକାରେ ଅଭିନୟ କରିଥିଲେ। ସେ ଶାହରୁଖ ଖାନଙ୍କ ବିଲ୍ଲୁ, ସଲମାନ ଖାନଙ୍କ ପାର୍ଟନର ଓ ଅଜୟ ଦେବଗନଙ୍କ ଅଲ ଦି ବେଷ୍ଟରେ ସମସ୍ତଙ୍କ ମନ ଜିଣିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅତୁଲପରଚୁରେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.