ଭୁବନେଶ୍ବର ୩୦/୧୨: ଠକେଇର ଆଉ ଏକ ନୂଆ ତରିକା । ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ବଡବଡିଆଙ୍କୁ ମୋହରା କଲେ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ରଙ୍କୁ ବି ଛାଡିଲେନି । ତାଙ୍କ ଝିଅ ଓ ଜ୍ବାଇଁର ପରିଚୟ ଦେଇ ଲୁଟୁଥିଲେ । ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଅଭିଯୋଗ ଆସିବା ପରେ ରାଜଧାନୀରୁ ହାଇପ୍ରୋଫାଇଲ ଦଂପତ୍ତି ଅନୀଲ ଓ ହଂସିକାଙ୍କୁ ଗିରଫ କରି ଜେଲ୍ ପଠାଇଛି ଇନଫୋସିଟି ପୋଲିସ ।
ଭୁବନେଶ୍ବର ବାସିନ୍ଦା ଅନୀଲ । ପେଶାରେ ବ୍ୟବସାୟୀ । ତାଙ୍କ ନାଁରେ ୨ଟି କଂପାନୀ ରେଜିଷ୍ଟ୍ରେସନ ହୋଇଛି । ପଟିଆରେ ଅଫିସ ରହିଛି । ତାଙ୍କ ପତ୍ନୀ କୁହାଯାଉଥିବା ମହିଳା କଳାହାଣ୍ଡିର ହଂସିକା ଅଭିଲିପ୍ସା । ଉଭୟ ଦୀର୍ଘ ଦିନଧରି ଭୁବନେଶ୍ବରରେ ରହୁଛନ୍ତି । ଭଲ ମଣିଷର ଖୋଳପା ଭିତରେ ଲୁଚି ରହିଥିଲା ସୈତାନୀ ବୁଦ୍ଧି । ଅନୀଲ ଓ ହଂସିକା ବଡବଡିଆଙ୍କୁ ଟାର୍ଗେଟ କରୁଥିଲେ । ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ବାଇଁ ପରିଚୟ ଦେଉଥିଲେ । କେବଳ ସେତିକି ନୁହେଁ ଆହୁରି ଅନେକ ବଡବଡିଆଙ୍କ ସହ ନିଜ ଫଟୋ ଏଡିଟ କରି ଦେଖାଉଥିଲେ ଆଉ ଠକୁଥିଲେ । ଟାର୍ଗେଟ କରୁଥିଲେ ବିଲ୍ଡର, ଖଣି ବ୍ୟବସାୟୀ ଓ ଧନୀ ଲୋକଙ୍କୁ ।
କିଛି କାମର ବାହାନା ଦେଖାଇ ଅଫିସକୁ ଡାକୁଥିଲେ ଅନୀଲ ଓ ଅଭିଲିପ୍ସା । ସେଠାରେ ମୁଲଚାଲ ହେଉଥିଲା ।ଡିଲ୍ ଫାଇନାଲ ପରେ ଠକୁଥିବା ଅଭିଯୋଗ ହୋଇଛି । ଏମିତି ଦୀର୍ଘଦିନଧରି ନିଜର ବିଜିନେସ ବଢାଇଚାଲିଥିଲେ ଠକ ଦଂପତ୍ତି । ଗତ ସପ୍ତାହରେ ଇନଫୋସିଟି ଥାନାରେ ଏକାଧିକ ଅଭିଯୋଗ ଆସିବା ପରେ ତତ୍ପର ହୋଇଥିଲା ପୋଲିସ । ତଦନ୍ତ ପରେ ବଡ ରହସ୍ୟର ଗୁମର ଫିଟିଥିଲା ।
ଅଭିଲିପ୍ସା ଓ ଅନିଲ ପ୍ରକୃତରେ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ ବୋଲି ଜଣାପଡିନଥିଲା । ଏମିତିକି ଉଭୟ ସ୍ବାମୀ-ସ୍ତ୍ରୀ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ଏହା ପରେ ଭୁବନେଶ୍ବର କମିଶନରେଟ ପୋଲିସ ଅନୀଲ ଓ ଅଭିଲିପ୍ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନେ କେତେ ଟଙ୍କା ଠକିଛନ୍ତି ତାହା ସ୍ପଷ୍ଟ ହୋଇନି । କମିଶନରେଟ୍ ପୋଲିସର ଛାନଭିନ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ସ୍ବରାଜ ଦେବତା ।