ଆଠଗଡ ୯।୮: ରେଙ୍ଗାଲି ଦକ୍ଷିଣ କେନାଲରେ ପାଣି ଆସିନି, କେନାଲର କାମ ମଧ୍ୟ ଠିକ୍ ଭାବେ ସରିନି । ହେଲେ ସାମାନ୍ୟ ବର୍ଷାରେ ଭୁଶୁଡି ପଡିଲା ରେଙ୍ଗାଲି ଦକ୍ଷିଣ କେନାଲର କଂକ୍ରିଟ୍ ବାଡ । ଧସିଗଲା କେନାଲ ବନ୍ଧ, ଭାଙ୍ଗିଲା ଇଲେକ୍ଟ୍ରିକ୍ ପୋଲ୍ । ଏଭଳି ଦୃଶ୍ୟ ଆଠଗଡ ଖୁଣ୍ଟକଟା ପଞ୍ଚାୟତ ଦର୍ଶନପୁର ପାଖରେ ଯାଇଥିବା ରେଙ୍ଗାଲି କେନାଲର । କଂକ୍ରିଟ୍ ବାଡକୁ ଲାଗି ଘର ଥିବା ବେଳେ ଘରଠାରୁ ୨୦୦ ମିଟର ଦୂରରେ ଭୁଶୁଡିଲା ବନ୍ଧ । ଏବେବି ଘରଠାରୁ ଯାଇଥିବା କଂକ୍ରିଟ୍ ବାଡଟି ନଇଁ ରହିବା ସହ ଅନେକ ସ୍ଥାନରେ ଫାଟ ଦେଖାଦେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ସେଠାକାର ଗ୍ରାମବାସୀ । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଆଠଗଡ ଖୁଣ୍ଟକଟା ସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରେଙ୍ଗାଲି କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସ୍ଥାନୀୟ ଲୋକେ । ରେଙ୍ଗାଲି ଦକ୍ଷିଣ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ଞାନ ରଞ୍ଜନ ନାଏକ କହିଛନ୍ତି ବର୍ଷା ଯୋଗୁଁ ଏହି ବାଡ ଭୁଶୁଡି ପଡିଛି । କାର୍ଯ୍ୟ କରୁଥିବା ସଂସ୍ଥା ତାହା ପୁନଃ ନିର୍ମାଣ କରିଦେବ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି କେନାଲର କାମ ନସରୁଣୁ ପାଣି କେନାଲରେ ନଆସୁଣୁ ଏଭଳି ଅବସ୍ଥା, ତେବେ ଆଗକୁ କ’ଣ ହେବ କେନାଲର ଭବିଷ୍ୟତ ତାକୁ ହିଁ ଅପେକ୍ଷା ।
You Can Read: