ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ଜିଲ୍ଲାପାଳ ସମ୍ମିଳନୀ କହିଲେ ‘କୌଣସି ସ୍ତରରେ ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ’

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର: ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ, ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନିୟମିତତା, ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘‘ କୌଣସି ପ୍ରକାରେ, କୌଣସି ସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ।’’  ଯେତେ ଯୋଜନା ରହିଛି, ତାହାର ସୁଫଳ ରୂପାୟନ ହେଲେ, ଆମ ରାଜ୍ୟରୁ ଦାରିଦ୍ର୍ୟ ଘୁଞ୍ଚିଯିବ, ଲୋକମାନଙ୍କ ମୁହଁରେ ହସ ଫୁଟି ଉଠିବ। 

କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାମାନଙ୍କର ଉନ୍ନତି ଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଓ ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ବରାନିତ କରିବାପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆପଣ ମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦ୍ଵାରା ହିଁ ସବୁ ପଦକ୍ଷେପର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆମ ରାଜ୍ୟ ଏକ ନମ୍ବର ରାଜ୍ୟ ହେବ ।

ଗ୍ରାମାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ମ୍ୟାପିଙ୍ଗ ।ଯୋଜନାର ସଫଳ ରୂପାୟନ ପାଇଁ  ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆହୁରି ମଧ୍ୟ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ, ବିଶେଷ ଭାବେ ସ୍କୁଲ, ଆଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର, ବିଶେଷ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା ପରି ସଂସ୍ଥାକୁ ନିୟମିତ ଭାବେ ପରିଦର୍ଶନରେ ଯିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ଜଙ୍ଗଲ ଅଧିକାର। ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିବା ସହ ଗୋଦାବରୀଶ ମଡେଲ ସ୍କୁଲ ପ୍ରତି ପଞ୍ଚାୟତରେ ସ୍ଥାପନା କରିବାକୁ ସରକାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ପିଛା ୩୧ ସହ ଟଙ୍କାରେ କିଣାଯିବା କଥା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ କହିଥିଲେ ଯେ, ତୁରନ୍ତ ନିଷ୍ପତ୍ତି ନେଇ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିପାରିଲେ ଉତ୍ତମ ପ୍ରଶାସନ ଉପଲବ୍ଧ ହୋଇପାରିବ। ଏ ଦିଗରେ ଜିଲ୍ଲାପାଳମାନଙ୍କ ସହଯୋଗ ଜରୁରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.