ନୂଆଦିଲ୍ଲୀ,୦୧।୧୨: ଭାଙ୍ଗିଲା, ଓପାଡ଼ିଲା, ଭସାଇଲା । ପ୍ରବଳ ବର୍ଷା ସାଙ୍ଗକୁ ପବନ ତାଣ୍ଡବ ରଚିଲା । ଶନିବାର ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ସ୍ଥଳଭାଗ ଛୁଇଁଛି । ପୁଡୁଚେରୀର କରେଇକାଲ ଓ ତାମିଲନାଡୁର ମହାବଳିପୁରମ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ଘଣ୍ଟାପ୍ରତି ୯୦ କି.ମି ବେଗରେ ପବନ ବହିଥିଲା । ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଛି ସ୍ଥାନୀୟ ଅଞ୍ଚଳ । ଚେନ୍ନାଇ ସମେତ ତାମିଲନାଡୁର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇପଡିଥିଲା । ଆସନ୍ତା ୩ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଲ୍ୟାଣ୍ଡଫଲ ବେଳେ ପବନ ବେଗ ଏତେ ଅଧିକ ଥିଲା ଯେ ବିଦ୍ୟୁତ ଖୁଣ୍ଟ, ମୋବାଇଲ ଟାୱାର ଓ ହୋର୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟାର ପ୍ରଭାବ ପଡୋଶୀ ରାଜ୍ୟ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରକୁ ୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଫଳରେ ୫୫ଟି ଫ୍ଲାଇଟ୍ ବାତିଲ୍ ହୋଇଛି । ସେହିପରି ୧୨ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ବାତ୍ୟା ଯୋଗୁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ବାତ୍ୟା ଫେଙ୍ଗଲରେ ବିଶେଷକରି ଚେନ୍ନାଇ ସମେତ କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ, ତିରୁଭଲୁର, କୁଡାଲୋର, ବିଲୁପୁରମ, କଲାକୁରୁଚି ଓ ମୟିଲାଦୁଥୁରାଇ ଜିଲ୍ଲା ପ୍ରଭାବିତ ହୋଇଛି । ଏସବୁ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଆଇଟି କମ୍ପାନିର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବିଭିନ୍ନ ସ୍ଥାନରେ ୨ ହଜାର ରିଲିଫ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ତାମିଲନାଡୁରେ ଏନ୍ଡିଆରଏଫର ୭ଟି ଟିମ୍କୁ ମୁତୟନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ୩୦ ଜଣ ଯବାନ ସାମିଲ ଅଛନ୍ତି ।