ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରଥର ହେଉଛି ଦକ୍ଷିଣମୋଡ

Published By : Prameya-News7 Bureau | July 12, 2024 IST

ପୁରୀ ୧୨: ଆସନ୍ତା ୧୫ ତାରିଖରେ ବାହୁଡାଯାତ୍ରା।ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରୀ ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନି ରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇଥିଲା। ତେବେ ଦର୍ପଦଳନ ରଥର ଦକ୍ଷିଣ ମୋଡ ପରେ ଯଦି ସମୟ ମିଳେ ତେବେ ତାଳଧ୍ଵଜ ଓ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା। ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିବାରେ ସାମିଲ ହୋଇଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। 

ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୧୪ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେତେବଳ ସମୟ ଯାଏଁ ଦର୍ଶନ କରିପାରିବେ ସେନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି। ୧୫ ତାରିଖରେ ବାହୁଡା଼ ଯାତ୍ରା ଥିବାରୁ ସମସ୍ତ ନୀତି କାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଉଛି। 

ତେବେ ଗତ ଆଡପ ମଣ୍ଡପ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇ ନୂତନ ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କୁ ଦାୟିତ୍ଵ ଦିଆଯାଇଛି। ଦାୟିତ୍ଵ ଗ୍ରହଣ କରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗୁଣ୍ଡିଚା ମନ୍ଦିର ଆସି ତିନି ରଥକୁ ପ୍ରଣିପାତ କରିବା ସହ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। 

ତେବେ ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା ଲଗାଯାଇଛି। ସେବାୟତ ମାନେ ମହାପ୍ରଭୁଙ୍କ ଆଗରେ ଠିଆ ହୋଇ ରହିବେ ନାହିଁ। ଏନେଇ ସମସ୍ତ ନିଯୋଗ ସହ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେହିପରି ରତ୍ନଭଣ୍ଡାର ଖୋଲିବା ପାଇଁ ଏସ ଓ ପି ପାଳନ ନେଇ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ପ୍ରଶାସକ। ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କର ସୂଚନା। ରଥ ଉପରେ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଯିବ। ରଥ ଅନଧିକୃତ ବା ଅଣ ସେବାୟତ ଚଢିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି l

You Can Read:

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଫେରାର ମାରିଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.