ନୂଆଦିଲ୍ଲୀ: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଏଣିକି Z ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ । ଗୁଇନ୍ଦା ବିଭାଗ (ଆଇବି) ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ଦଲାଇ ଲାମାଙ୍କୁ ସୁରକ୍ଷା ପ୍ରଦାନ କରିବ । ତାଙ୍କ ଛଡ଼ା ପୁରୀରୁ ବିଜେପି ସାଂସଦ ସମ୍ୱିତ୍ ପାତ୍ରଙ୍କୁ ବି ମଣିପୁରରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ । ସମ୍ୱିତ୍ ପାତ୍ର ମଣିପୁରରେ ବିଜେପି ପ୍ରଭାରୀ ଅଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍)ର ଭିଆଇପି ସୁରକ୍ଷା ଶାଖାକୁ ୮୯ ବର୍ଷୀୟ ଦଲାଇ ଲାମାଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଦଲାଇ ଲାମାଙ୍କୁ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ । ଏବେ ସୁଦ୍ଧା ଦଲାଇ ଲାମାଙ୍କୁ କେବଳ ହିମାଚଳ ପ୍ରଦେଶ ପୋଲିସ ଦ୍ୱାରା ସୁରକ୍ଷା ଦିଆଯାଉଥିଲା । ହିମାଚଳରୁ ଅନ୍ୟ କୌଣସି ରାଜ୍ୟକୁ ଗଲେ ସେଠାକାର ପୋଲିସ ସୁରକ୍ଷା ଦେଉଥିଲା । କିନ୍ତୁ ଏବେ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ ।
୧୯୩୫ ମସିହାରେ ଲହାମୋ ଥୋଂଡ୍ଡୁପ ରୂପେ ଜନ୍ମିତ ଦଲାଇ ଲାମାଙ୍କୁ ଦୁଇ ବର୍ଷ ବୟସରେ ହିଁ ପୂର୍ବତନ ତିବ୍ବତୀୟ ଧର୍ମଗୁରୁଙ୍କ ପୂର୍ନଜନ୍ମ ବୋଲି କୁହାଯାଇଥିଲା । ୧୯୪୦ରେ ତିବ୍ବତର ରାଜଧାନୀରେ ୧୪ତମ ଦଲାଇ ଲାମା ରୂପେ ତିବ୍ବତୀୟ ଧର୍ମଗୁରୁ ରୂପେ ମାନ୍ୟତା ଦିଆଯାଇଥିଲା । ୧୯୫୦ ମସିହାରେ ତିବ୍ବତ ଉପରେ ଚୀନ ଆକ୍ରମଣ କରିଥିଲା । ୧୯୫୯ରେ ଚୀନ ବିରୋଧୀ ବିଦ୍ରୋହ ବିଫଳ ହେବା ପରେ ଦଲାଇ ଲାମା ଭାରତରେ ଆସି ଶରଣ ନେଇଥିଲେ । ସେବେଠାରୁ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି । ୧୯୮୯ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।