ମେଧାବୀଙ୍କୁ CJIଙ୍କ ନ୍ୟାୟ ପ୍ରତିଶ୍ରୁତି; IIT ଆଡମିଶନରୁ ବଞ୍ଚିତ ଛାତ୍ରକୁ ଦେଲେ ସହଯୋଗର ଭରସା

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ: ଗରିବ ମେଧାବୀ ଛାତ୍ରକୁ ନ୍ୟାୟ ପ୍ରତିଶ୍ରୁତି ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ । ସର୍‌ଭର୍ ଡାଉନ୍ ପାଇଁ ଆଇଆଇଟି ଆଡମିଶନରୁ ବାଦ୍ ପଡ଼ିଥିବା ଛାତ୍ରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସିଜେଆଇ । ମଙ୍ଗଳବାର ସୁପ୍ରିମକୋର୍ଟରେ ଏଭଳି ଏକ ମାମଲାର ବିଚାର ହୋଇଛି । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାର ମେଧାବୀ ଛାତ୍ର ଅତୁଲ କୁମାର ଆଇଆଇଟି ଧାନବାଦ୍‌ରେ ଆଡମିଶନ ପାଇଁ ସିଲେକସନ୍ ହୋଇଥିଲେ । ତେବେ ଆଡମିଶନ ବେଳେ ସର୍‌ଭର୍ ଡାଉନ ହେବା ଯୋଗୁ ଫି’ ଜମା କରିବାରେ ୩ ମିନିଟ୍ ବିଳମ୍ବ ହେବାରୁ ସେ ଆଡମିଶନ ବାଦ୍ ପଡ଼ିଥିଲେ । ଏହାକୁ ନେଇ ଛାତ୍ର ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।

ଉତ୍ତର ପ୍ରଦେଶ ମୁଜଫରନଗର ଜିଲ୍ଲାର ଟିଟୋରା ଗାଁର ଅତୁଲ କୁମାର ଜୁନ ୯ ତାରିଖରେ ନିଜ ଭାଇର ଲାପଟପରେ ଜେଇଇ ପ୍ରବେଶିକା ପରୀକ୍ଷା ରେଜଲ୍ଟ ଦେଖିଥିଲେ । ସେ ଜେଇଇ ପାସ୍ କରିଥିବା ଜାଣିବା ପରେ ପରିବାରରେ ଖୁସିର ମାହୋଲ ଖେଳିଯାଇିଥିଲା । ମେଧାବୀ ଅତୁଲଙ୍କ ବାପା ମିରଟରେ ଦିନ ମଜୁରିଆ ଭାବେ କାର୍ଯ୍ୟକରନ୍ତି ଏବଂ ପାର୍ଟ ଟାଇମ୍ ସିଲେଇ ମେଶିନ ମଧ୍ୟ ଚଳାନ୍ତି । ପୁଅ ଆଇଆଇଟି ଆଡମିଶନ ପାଇଁ କରଜ କରି ଫି’ ଯୋଗାଡ଼ କରିଥିଲେ । ଅତୁଲ ଦାବି କରିଛନ୍ତି, ଜୁନ ୨୪ ତାରିଖ ସଂଧ୍ୟା ୫ଟା ଯାଏଁ ଆଡମିଶନ ଫି’ ଦାଖଲ କରିବାର ଶେଷ ସମୟ ଥିଲା । ଧାର୍ଯ୍ୟ ସମୟର ଠିକ୍ ୩ ମିନିଟ୍ ପୂର୍ବରୁ ଅନଲାଇନ୍ ପୋର୍ଟାଲର ସର୍‌ଭର ଡାଉନ ହୋଇଯାଇଥିଲା ।  ତେଣୁ ଅତୁଲ ୧୭,୫୦୦ ଟଙ୍କା ଫି’ ଜମା କରି ପାରିନଥିଲେ । ଫଳରେ ଆଇଆଇଟି ଧାନବାଦ୍‌ରେ ଆଡମିଶନ କରିବାରୁ ବଞ୍ଚିତ ହୋଇଥିଲେ । 

ସିଜେଆଇଙ୍କ ବେଞ୍ଚ କ’ଣ କହିଲେ ?

ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମଙ୍ଗଳବାରକୁ ଏହି ମାମଲାର ସୂଚୀବଦ୍ଧ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ମାମଲାର ଶୁଣାଣି ହେବ । ଆବେଦନକାରୀଙ୍କ ସାମାଜିକ ପୃଷ୍ଠଭୂମି ଏବଂ ସେମାନେ ଯେଉଁ କଠିନ ପରିସ୍ଥିତି ଦେଇ ଗତିକରିଛନ୍ତି ତା’କୁ ଲକ୍ଷ୍ୟ କରି ଏହା ଶୁଣାଣି ପାଇଁ ଏକ ଉଚିତ୍ ମାମଲା ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏବଂ ଆବେଦନକାରୀଙ୍କୁ ସହଯୋଗ କରିବାକୁ ଭରସା ଦେଇଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.