ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା, ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ଟଙ୍କା

NEWS7
darshan-pavithra-gowda-were-in-livein-relationship-big-revelation

ବ୍ରହ୍ମପୁର: ଏକ ସାଇବର ଅପରାଧ ମାମଲାରେ ବ୍ରହ୍ମପୁର ସାଇବର ପୋଲିସକୁ ସଫଳତା। ଲୁଟର ଶିକାର ହୋଇଥିବା ଲକ୍ଷାଧିକ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ଜଣାପଡ଼ିଛି ଠକ ଜଣକ ନିଜକୁ ଡେଭଲପର ପରିଚୟ ଦେଇ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଠକିଥିଲା।

ସୂଚନା ଅନୁସାରେ, ଲୁଟର ଶିକାର ହୋଇଥିବା ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଠାରୁ ଗତ ଜୁଲାଇ ମାସରେ ଲୁଟ୍ କରିଥିଲେ ସାଇବର ଠକ। ଏହି ଠକମାନେ ଏକ ହ୍ବାଟ୍ସଆପ୍ କଲ୍ କରି ନିଜକୁ ଡେଭଲପର ବୋଲି ପରିଚୟ ଦେଇଥିଲେ।

ତେବେ ଠକ ମହିଳାଙ୍କୁ ନିଜ କଥାରେ ଫସାଇ ଔପଚାରିକ ଭାବରେ କାମ ପାଇଁ ଟଙ୍କା ସ୍ଥାୟୀ ଜମା ରଖିବାକୁ କହିଥିଲେ। ଯାହାକୁ ସତ ଭାବି ମହିଳା ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭,୭୦,୧୬୧ ଟଙ୍କା ପଠାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣି ସାଇବର ଥାନାର ଦ୍ୱାରସ୍ଥ ହୋଇ ମାମଲା ରୁଜୁ କରିଥିଲେ। ସାଇବର ପୋଲିସ ତଦନ୍ତ କରି ଠକଙ୍କ ୧୧ଟି ଆକାଉଣ୍ଟରେ ୪,୪୦,୦୦୦ ଟଙ୍କା ସଫଳତାର ସହ ଅଟକାଇଥିଲେ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସମ୍ପୃକ୍ତ ବ୍ୟାଙ୍କ ଅଭିଯୋଗକାରିଣୀଙ୍କ ଆକାଉଣ୍ଟରେ ୧,୬୭,୦୦୦ ଟଙ୍କା ଜମା କରିଛି ସାଇବର ପୋଲିସ। ବାକି ଟଙ୍କା ଅଭିଯୋଗକାରିଣୀଙ୍କ ଆକାଉଣ୍ଟକୁ ଫେରାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏସ. ପି ଶ୍ରବଣ ବିବେକ. ଏମ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ସରେ ଅବାଞ୍ଛିତ ନିବେଶ ପ୍ରସ୍ତାବ ପ୍ରତି ସତର୍କ ରୁହନ୍ତୁ। ସାଇବର ଠକେଇର ଶିକାର ନ ହେବା ପାଇଁ ନିବେଶ କରିବା ପୂର୍ବରୁ ସର୍ବଦା ଯାଞ୍ଚ କରନ୍ତୁ ଏବଂ ଏପରି ମାମଲାଗୁଡ଼ିକୁ ୧୯୩୦ ସାଇବର ହେଲ୍ପଲାଇନ୍ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି ପୋଲିସ।