ବିଜେପିରେ ସାମିଲ ହେଲେ ମମତା ମହାନ୍ତ, ଦିନକ ପୂର୍ବରୁ ଛାଡ଼ିଥିଲେ ବିଜେଡି ଏବଂ ରାଜ୍ୟସଭା ସଦସ୍ୟତା

Published By : Prameya-News7 Bureau | August 01, 2024 IST

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୁଣ ସିଂହ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ବୁଧବାର ମମତା ମହାନ୍ତ ରଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ବିଜେଡି ବିରୋଧରେ ଅଭିଯୋଗ ଆଣି ଶଙ୍ଖ ଦଳରୁ ଇସ୍ତଫା ଦେଇଥିଲେ ।

ନୂଆଦିଲ୍ଲୀରେ ବିଜେପି ସାମିଲ ହୋଇ ମମତା ମହାନ୍ତ କହିଛନ୍ତି, 'ମୋତେ ଜିଲ୍ଲା ପରିଷଦ ଏବଂ ରାଜ୍ୟସଭା ସଦସ୍ୟ ଭାବେ ମୟୂରଭଞ୍ଜ ଜିଲ୍ଲାବାସୀ ଏବଂ ଓଡ଼ିଶାବାସୀଙ୍କ ସେବା ପାଇଁ ଯେଉଁ ସୁଯୋଗ ଦେଇଥିଲେ ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଦେଉଛି ।' ଏହାସହ ସେ କହିଛନ୍ତି, 'କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ବିଜେଡିରେ ମୋର ଆବଶ୍ୟକତା ଲୋଡ଼ା ପଡ଼ୁନି । ଲୋକଙ୍କ ସେବା ମୋର ଲକ୍ଷ୍ୟ ତେଣୁ ମୋର କୁଡୁମୀ ସମ୍ପ୍ରଦାୟ ଏବଂ ଜନତାଙ୍କ ଅଧିକରୁ ଅଧିକ ସେବା କରିବା ପାଇଁ ବିଜେପିରେ ସାମିଲ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏବଂ ବିଜେପି ପରିବାରର ବିଚାରଧାରା, ପିଏମ୍ ମୋଦୀଙ୍କ ସବକା ସାଥ୍, ସବକା ବିକାଶ ବିଚାରଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛି ।'

ଦିଲ୍ଲୀରେ ଏହି ବିଜେପି ମିଶ୍ରଣ ପର୍ବରେ ସାଂସଦ ଅନୀତା ଶୁଭଦର୍ଶିନୀ, ସାଂସଦ ମାଳବୀକା ଦେବୀ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ସାଂସଦ ଅନନ୍ତ ନାୟକ, ସାଂସଦ ନବଚରଣ ମାଝୀ, ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.