ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ବଢିବା ସମ୍ଭାବନା

Published By : Prameya-News7 Bureau | May 29, 2024 IST

ଭୁବନେଶ୍ୱର ୨୯।୫: ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୩ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି । ବୌଦ୍ଧ ତାପମାତ୍ରା ୪୫.୯ ଡିଗ୍ରୀ ପହଞ୍ଚିଥିବା ବେଳେ ସୋନପୁର ୪୫.୩, ଟିଟିଲାଗଡ଼ ୪୫ ଡିଗ୍ରୀରେ ଭାଜି ହୋଇଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ଭବାନୀପାଟଣା ତାପମାତ୍ରା ୪୪ ଡିଗ୍ରୀ ଟପିଛି । କେବଳ ତାପମାତ୍ରା ନୁହେଁ, ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଏତେ ବଢ଼ିଯାଇଛି ଯେ, ଭୀଷଣ ଗୁଳୁଗୁଳି ଅଣନିଃଶ୍ୱାସୀ କରି ପକାଉଛି । ଝାଳନାଳ ସାରା ଉପକୂଳ । ଉପକୂଳ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଛି । ମାତ୍ର ଗୁଳୁଗୁଳି ଏତେ ଯେ ଜୀବନ ଚାଲିଗଲା ଭଳି ଲାଗୁଛି । 

ମଙ୍ଗଳବାର ଅପରାହ୍ନ ଅଢ଼େଇଟା ବେଳେ ଭୁବନେଶ୍ୱର ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ ଓ ଆର୍ଦ୍ରତା ଥିଲା ୬୩% । ତାତି ଓ ଗୁଳୁଗୁଳିକୁ ମିଶାଇ ହିଟ୍‌ ଇଣ୍ଡେକ୍ସ ରେକର୍ଡ କହୁଛି, ଦିନ ଅଢ଼େଇଟାବେଳେ ରାଜଧାନୀବାସୀ ୬୩ ଡିଗ୍ରୀ ସେଲସିୟସ୍‌ ଭଳି ତାତି ଅନୁଭବ କରୁଥିଲେ । ଏଥିରୁ ଅନୁମାନ କରାଯାଇପାରେ, ତାତି କେଉଁଭଳି ଭୟାନକ ସ୍ତର ଛୁଇଁଛି । ହିଟ୍‌ ଇଣ୍ଡେକ୍ସ ହିସାବରେ ଦିନ ସାଢ଼େ ୨ଟାବେଳେ ବାଲେଶ୍ୱରରେ ୫୮ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୫୮, ସମ୍ବଲପୁରରେ ୫୭, ପୁରୀ, ଗୋପାଳପୁର ଓ ହୀରାକୁଦରେ ୫୪, ଝାରସୁଗୁଡ଼ାରେ ୫୨, ପାରାଦୀପରେ ୫୧, ରାଉରକେଲାରେ ୫୦ ଓ କେନ୍ଦୁଝରରେ ୪୯ ଡିଗ୍ରୀ ଭଳି ତାତିରେ ସିଝୁଥିଲେ ଲୋକେ । ଚିନ୍ତାର ବିଷୟ ହେଲା-ପଶ୍ଚିମରୁ ଉପକୂଳ ଯାଏଁ ଦିନ ସହ ରାତିରେ ବି ଅସହ୍ୟ ହୋଇଛି ଗ୍ରୀଷ୍ମର ଜ୍ୱାଳା । ରାତି ତାପମାତ୍ରା ଭୁବନେଶ୍ୱରରେ ୨୯.୬ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୩୧, ହୀରାକୁଦରେ ୩୦.୪, ସମ୍ବଲପୁରରେ ୩୦.୧ । ଅନେକ ସ୍ଥାନରେ ରାତି ତାପମାତ୍ରା ୨୭-୨୮ ଡିଗ୍ରୀ ସେଲସିୟସ ରହୁଛି । ବଲାଙ୍ଗୀରରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୬.୧ ଡିଗ୍ରୀ ଅଧିକ, ଟିଟିଲାଗଡ଼ରେ ୫ ଓ ଭୁବନେଶ୍ୱରରେ ୨.୬ ଡିଗ୍ରୀ ଅଧିକ ଅଛି । 

ପାଣିପାଗ ବିଭାଗର ଆକଳନ ହେଲା, ଆସନ୍ତା ୨ ଦିନ ଭିତରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ ଅନେକ ସ୍ଥାନରେ । ଅନୁମାନ କରାଯାଉଛି, ୩୧ ତାରିଖ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ଲହରି ଜଳାଇବ । ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଜାରି ରହିବ ଗ୍ରୀଷ୍ମ ଲହରି । ଉପକୂଳର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ଆସନ୍ତା ଦୁଇଦିନ । ଏଥିପାଇଁ ଉପରୋକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ । ୩୧ ଓ ୧ ଜୁନ୍‌ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ପ୍ରଭାବରେ ୪୦-୫୦ କିମି ବେଗରେ ପବନ ସହ ଧୂଳିଝଡ଼ ଓ ବର୍ଷା ହୋଇପାରେ । କାଳବୈଶାଖୀ ହେଲେ ହିଁ ତାତି ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ । 

ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଦିନ ତାପମାତ୍ରା ସହ ଉଷ୍ମ ରାତି ଓ ଗୁଳୁଗୁଳି ଯୋଗୁ ଅସହ୍ୟ ହୋଇଛି ଗ୍ରୀଷ୍ମ ପ୍ରବାହ । ନିସ୍ତାର ମିଳିବାକୁ ଆହୁରି ୨-୩ ଦିନ ଅପେକ୍ଷା କରିବାକୁ ପଡ଼ିପାରେ । ୩୧ ପରେ ସ୍ଥିତିରେ ସୁଧାର ଆସିପାରେ ।  ବାତ୍ୟା ରେମାଲ ଯୋଗୁ ତାତି ଓ ଗୁଳୁଗୁଳି ବେଶି ବଢ଼ିଲା । ଏହାସହ ଛତିଶଗଡ଼ ପାଖରେ ଥିବା ଟ୍ରଫଲାଇନ ଉତ୍ତର-ପଶ୍ଚିମରୁ ଆସୁଥିବା ତତଲା ଶୁଷ୍କ ବାୟୁ ତାପମାତ୍ରାକୁ ଅହେତୁକ ଭାବେ ବୃଦ୍ଧି କରୁଛି । ଉପକୂଳରେ ଥିବା ଜଳୀୟବାଷ୍ପ ଉପରକୁ ଉଠିପାରୁନି, ତେଣୁ ବର୍ଷା ହେଉନି ।  ଆଇଏମଡି ସତର୍କ କରାଉଛି ଯେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ । ୨୯ରେ ଆଭ୍ୟନ୍ତରୀଣ ଓ ପଶ୍ଚିମରେ ତାତି ୪୨ରୁ ୪୪ ଡିଗ୍ରୀ, ୩୦ ଓ ୩୧ରେ ୪୩-୪୫ ଡିଗ୍ରୀ ସେଲସିୟସ୍‌ ରହିପାରେ । ୨୯ରେ ଉପକୂଳ ଓଡ଼ିଶାରେ ୩୭-୩୯ ଡିଗ୍ରୀ ଓ ୩୦ ଓ ୩୧ ତାରିଖରେ ୩୮-୪୦ ଡିଗ୍ରୀ ଛୁଇଁପାରେ ।  ଏଯାବତ୍‌ ରାଜ୍ୟରେ ଅଂଶୁଘାତରେ ୧୨୧୯ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ଏଯାବତ୍‌ ୪ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି ।

You Can Read :

ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ଏସ୍‌ସିବି ମେଡିକାଲରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.