ମାଡୁରୋଙ୍କୁ ଧୋକା ଦେଲେ ନିଜ ଅଙ୍ଗରକ୍ଷୀ, ଗିରଫ କରାଇବା ପାଇଁ ଆମେରିକା ଠୁ ନେଇଛନ୍ତି ଲାଞ୍ଚ!

NEWS7
deadbody-of-youth-found-in-top-of-the-hillmurder-suspected

ନୂଆଦିଲ୍ଲୀ ୪।୧: ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଡୁରୋଙ୍କୁ ଗିରଫ କରିବା ପାଇଁ କଥିତ ଆମେରିକା ଅଭିଯାନ ‘ଅପରେସନ ଆବସଲ୍ୟୁଟ ରିଜଲଭ୍’କୁ ନେଇ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। କୁହାଯାଉଛି ଏହି ପୁରା ଅପରେସନରେ ମାଡୁରୋଙ୍କ ସବୁଠୁ ନିର୍ଭରଯୋଗ୍ୟ ସୁରକ୍ଷା ବଳୟ ତାଙ୍କ ବିରୋଧରେ କାମ କରିଛି। ଏହି କାରଣରୁ ଆମେରିକାକୁ ମିସନରେ କମ ବାଧା ଆସିଛି।

ସୂତ୍ର ଅନୁସାରେ ଟ୍ରମ୍ପ ପ୍ରଶାସନ ଗତ ସୋମବାର ଏହି ଅପରେସନକୁ ମଞ୍ଜୁରୀ ଦେଇଥିଲା। ତେବେ ଖରାପ ପାଗ ପାଇଁ ଆମେରିକା ସେନାକୁ ୪ ଦିନ ଅପେକ୍ଷା କରିବାକୁ ପଡିଥିଲା। ଶେଷରେ ଶୁକ୍ରବାର ରାତି ୧୦ଟା ବାଜି ୪୯ ମିନିଟ୍ ରେ ଅପରେସନକୁ ଚୂଡ଼ାନ୍ତ ସବୁଜ ସଂକେତ ମିଳିଥିଲା ଓ ଅପରେସନ ପ୍ରସ୍ତୁତି ଶେଷ କରାଯାଇଥିଲା। କୁହାଯାଉଛି ଅଗଷ୍ଟ ମାସରୁ ସିଆଇଏର ଏକ କ୍ଷୁଦ୍ର କିନ୍ତୁ ଖାସ ଟିମ୍ ଭେନେଜୁଏଲାରେ ଅବସ୍ଥାନ କରୁଥିଲା। ଏହି ଟିମ୍ ମାଡୁରୋଙ୍କ ଦିନଚର୍ଯ୍ୟା, ତାଙ୍କ ଯିବା ଆସିବା ରାସ୍ତା ଓ ସୁରକ୍ଷା ବ୍ୟବସ୍ଥାର ଟିକନିକ୍ ସୂଚନା ସଂଗ୍ରହ କରୁଥିଲା। ଏଥିରେ ଏକ ନିର୍ଭରଯୋଗ୍ୟ ଗୁଇନ୍ଦା ସମ୍ପର୍କ ମାଧ୍ୟମରେ ମାଡୁରୋଙ୍କ ସଠିକ ଲୋକେସନ ଲଗାତାର ଆମେରିକାକୁ ପହଞ୍ଚା ଯାଉଥିଲା।

ତେବେ ଏଥିରେ ସବୁଠୁ ଚାଞ୍ଚଲ୍ୟକର ଦାବି ହେଉଛି ମାଡୁରୋଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ମଧ୍ୟ ଆମେରିକା ଲାଗି କାମ କରୁଥିଲେ। ଆମେରିକୀୟ ଏଜେନ୍ସୀମାନେ କଥିତ ରୂପେ ଏହି ବଡିଗାର୍ଡମାନଙ୍କୁ ୫୦ ମିଲିୟନ ଡଲାରର ମୋଟା ଲାଞ୍ଚ ଦେଇ ନିଜ ପକ୍ଷରେ କରିନିଆଯାଇଥିଲା। ଏଣୁ ମାଡୁରୋଙ୍କ ସୁରକ୍ଷା କାନ୍ଥ ଭିତରେ ଭିତରେ ଦୁର୍ବଳ ହୋଇ ସାରିଥିଲା ଓ ଅପରେସନ ସହଜ ହୋଇଥିଲା। ଏହି ପୁରା ଅପରେସନ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସିଧା ନଜର ଥିଲା।

ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ କ୍ଲବରେ ଟ୍ରମ୍ପ ପାଖାପାଖି ୭ ଘଣ୍ଟା ପର୍ଯ୍ୟନ୍ତ ବସି ଶୀର୍ଷ ପରାମର୍ଶଦାତାଙ୍କ ସହ ଲାଇଭ ମନିଟରିଂ ଦେଖୁଥିଲେ। ଏହା ସହିତ ପାଖାପାଖି ୪ ହଜାର ମେରିନ ସୈନିକଙ୍କୁ ପ୍ରସ୍ତୁତ ରଖାଯାଇଥିଲା। ଯଦି ପରିସ୍ଥିତି ବିଗିଡିଥାନ୍ତା ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା। ଏହି ସବୁ ଦାବି ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ସ୍ତରରେ ରାଜନୈତିକ ହଲଚଲ ବଢି ଯାଇଛି। ଯଦି ଏ କଥା ସତ୍ୟ ସାବ୍ୟସ୍ତ ହୁଏ ତେବେ ଏହା ଆଧୁନିକ ଗୁଇନ୍ଦାଗିରି ଓ କ୍ଷମତା ସଂଘର୍ଷ ନିମନ୍ତେ ଏକ ବଡ଼ ଉଦାହରଣ ହେବ।