ଭୁବନେଶ୍ୱର ୧୭।୦୩ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବରିଷ୍ଠ ରାଜନୈତିଜ୍ଞ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ।
ଦୁଇ ଦୁଇ ଥର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଅତ୍ୟଧିକ ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ରାଜ୍ୟ ବିଜେପିର ବରିଷ୍ଠ ତଥା ଅନ୍ୟତମ ପୁରୁଖା ସଦସ୍ୟ ଡାକ୍ତର ଦେବେନ୍ଦ୍ର ପ୍ରଧାନ ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୯୬୬ ମସିହାରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ୍ ପାସ୍ କରିଥିଲେ । ପରେ ୧୯୭୩ରେ ଚାକିରିରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଏବଂ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ।
୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ। ଏହାପରେ ୧୯୮୩ରୁ ୧୯୮୫, ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପରେ ୧୯୮୮ରୁ ୧୯୯୦, ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ନିର୍ବାଚିତ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଓଡିଶାରେ ବିଜେପିର ପତିଆରା ବୃଦ୍ଧିରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ ୧୯୯୮ରେ ଅନୁଷ୍ଠିତ ୧୨ତମ ସାଧାରଣ ନିର୍ବାଚନରେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ୧୩ତମ ସାଧାରଣ ନିର୍ବାଚନରେ ଦେବଗଡ଼ ଆସନରୁ ସେ ପୁଣି ଥରେ ସାଂସଦ ଭାବେ ବିଜୟୀ ହୋଇଥିଲେ ଏବଂ ବାଜପେୟୀ ସରକାରରେ ପୁନର୍ବାର ମନ୍ତ୍ରୀ ହୋଇଥିଲେ । ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ଖବର ପରେ ଢେଙ୍କାନାଳ, ଦେବଗଡ଼ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
କ୍ରିକେଟରୁ ସନ୍ନ୍ୟାସ ନେବେ କି କିଙ୍ଗ୍ କୋହଲି? ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ବଡ ଅପ୍ଡେଟ୍