ପୁରୀ ୪।୮: ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ସହ ଖେଳ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଠାକୁରଙ୍କ ନୀତିରେ ହେଲା ବିଳମ୍ବ । ରବିବାର ସକାଳ ୫ଟା ୨୫ରେ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ବଢିଥିଲା । ତେବେ ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଆରମ୍ଭ ହୋଇଥିଲା ବିବାଦ । ପୂଜାପଣ୍ଡା ସେବକ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଢି ଯାଇଥିଲେ ପ୍ରଧାନୀ ସେବାୟତ । ତେବେ ସମ୍ପୃକ୍ତ ସ୍ଥାନରୁ ପ୍ରଧାନୀ ସେବାୟତଙ୍କୁ ପୂଜାପଣ୍ଡା ସେବକ ବାହାରକୁ ବାହାର କରିବା ସହ ପୂଜାରେ ବ୍ୟାଘାତ ହେବାରୁ ମାଘସ୍ନାନ ପାଇଁ ଜିଦ୍ ଧରିଥିଲେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ନୀତି ପ୍ରଶାସକ ଶ୍ରୀମନ୍ଦିର ଆସି ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଦ୍ୱାରପାଳ ପୂଜା ସମୟରେ ବସିଥିବା ଭୋଗକୁ ପୋତାଯିବ ସହ ମାଘସ୍ନାନ ପାଇଁ ନୀତି ପ୍ରଶାସକଙ୍କ ପାଖରେ ଜିଦ୍ ଧରିଥିଲେ ପୂଜାପଣ୍ଡା ସେବାୟତ । ଯାହା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିବା ସହ ଦର୍ଶନ ମଧ୍ୟ ବନ୍ଦ ରହିଥିଲା । ଦୀର୍ଘ ସମୟ ଧରି ଠାକୁରଙ୍କ ନୀତିକାନ୍ତି ଓ ଦର୍ଶନ ବନ୍ଦ ରହିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଭକ୍ତଙ୍କ ତୀବ୍ର ଅସନ୍ତୋଷ ଓ ନୀତି ବିଳମ୍ବକୁ ଦୃଷ୍ଟିରେ ରଖି ପୂଜାପଣ୍ଡାଙ୍କ ଜିଦ୍ ପୁରଣ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଗରୁଡ଼ ଓ ଜୟ ବିଜୟଙ୍କର ମାଘ ସ୍ନାନ କରାଯାଇ ପୁଣି ଥରେ ନୀତିକାନ୍ତି ସ୍ୱାଭାବିକ କରାଯାଇଥିଲା । ଏପଟେ ଚିତାଲାଗି ଅମାବାସ୍ୟା ସହ ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ତେବେ ଠାକୁରଙ୍କ ନୀତିକାନ୍ତିରେ ବାରମ୍ବାର ଏଭଳି ବିଭ୍ରାଟ ହେଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ବିଶେଷ ଧ୍ୟାନ ଦେବା ପାଇଁ ସେବାୟତ ଓ ଭକ୍ତ ଦାବି କରିଛନ୍ତି ।
You Can Read:
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି